ପୋଲାଭରମ ମାମଲା : ଆନ୍ଧ୍ର ସପକ୍ଷରେ କେନ୍ଦ୍ରର ଯୁକ୍ତି

ଫେରନ୍ତା ଜଳ ପ୍ରଭାବ ଅନୁଧ୍ୟାନ ପାଇଁ ଅଧ୍ୟୟନକୁ ନା, ସୁପ୍ରିମକୋର୍ଟଙ୍କୁ ଅବଗତ କଲେ କେନ୍ଦ୍ର ସରକାର, ନଭେମ୍ବର ୧୫ରେ ଚୂଡ଼ାନ୍ତ ଶୁଣାଣି

ନୂଆଦିଲ୍ଲୀ : ପୋଲାଭରମ ପ୍ରକଳ୍ପର ଫେରନ୍ତା ଜଳ ପ୍ରଭାବ ଅନୁଧ୍ୟାନ ପାଇଁ କୌଣସି ଅଧ୍ୟୟନର ଆବଶ୍ୟକତା ନାହିଁ। ୨୦୧୧ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏମ୍‌-ଗୋପାଳକୃଷ୍ଣ କମିଟି ପ୍ରକଳ୍ପ ଅଞ୍ଚଳର ତଦାରଖ କରି ରିପୋର୍ଟ ଦାଖଲ କରି ସାରିଛନ୍ତି। ଏମ୍‌. ଗୋପାଳକୃଷ୍ଣ କମିଟି ଦ୍ବାରା ପ୍ରକଳ୍ପ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଗୁଡ଼ିକୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେଣୁ ଫେରନ୍ତା ଜଳ ପ୍ରଭାବ ଅନୁଧ୍ୟାନ ପାଇଁ ବର୍ତ୍ତମାନ ଏବଂ ଆଗକୁ କୌଣସି ଅଧ୍ୟୟନର ଆବଶ୍ୟକତା ନାହିଁ ବୋଲି ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ଅତିରିକ୍ତ ସଲିସିଟର ଜେନେରାଲ୍‌ ପିଙ୍କି ଆନନ୍ଦ ଆଜି ସୁପ୍ରିମକୋର୍ଟର ବିଚାରପତି ମଦନ ବି ଲୋକୁର, ବିଚାରପତି ଏସ୍‌ ଏ ନଜିର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ରଖିଥିଲେ। ତେବେ କେନ୍ଦ୍ରର ଏଭଳି ଆଭିମୁଖ୍ୟକୁ ଆଜି ଓଡ଼ିଶା ପକ୍ଷରୁ ଜୋରଦାର ବିରୋଧ କରାଯାଇଥିଲା। ଓଡ଼ିଶାର ଓକିଲ ଖଣ୍ଡପୀଠଙ୍କୁ କହିଥିଲେ, ଗୋପାଳକୃଷ୍ଣ କମିଟି ରିପୋର୍ଟର ବୈଷୟିକ ପ୍ରସଙ୍ଗ ସମ୍ପର୍କରେ ଓଡ଼ିଶା ପୂର୍ବରୁ ଆପତ୍ତି ଦାଖଲ କରି ସାରିଛି। ସୁପ୍ରିମକୋର୍ଟ କିନ୍ତୁ ଆଜି କେନ୍ଦ୍ର ସରକାରଙ୍କ ମନ୍ତବ୍ୟକୁ ରେକର୍ଡକୁ ନେଇଥିେଲ ଓ ଓଡ଼ିଶା ଦ୍ୱାରା ଗୋପାଳକୃଷ୍ଣ କମିଟି ରିପୋର୍ଟକୁ ନେଇ ଆପତ୍ତିକୁ ଗ୍ରହଣ କରିନଥିଲେ। କେନ୍ଦ୍ର ସରକାରଙ୍କ ଏଭଳି ମନ୍ତବ୍ୟ ଆନ୍ଧ୍ର ସରକାରଙ୍କୁ ସୁହାଇଛି ଓ ଓଡ଼ିଶା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

ଅନ୍ୟପ‌କ୍ଷରେ ଆନ୍ଧ୍ରର ପୋଲାଭରମ ପ୍ରକଳ୍ପକୁ ପରିବେଶ ମଂଜୁରି ଉଲ୍ଲଂଘନ ନେଇ ଓଡ଼ିଶା ଦ୍ୱାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତିକାଳୀନ ଆବେଦନ ଉପରେ ନଭେମ୍ବର ୧୫ରେ ଚୁଡ଼ାନ୍ତ ଶୁଣାଣି ହେବ ବୋଲି ସୁପ୍ରିମକେ‌ାର୍ଟ କହିଛନ୍ତି। ଗତକାଲି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ସ୍ପଷ୍ଟ ରୂପେ କହିଥିଲେ ଯେ ଯଦି ଫେରନ୍ତା ଜଳ ଅଧ୍ୟୟନର ଆବଶ୍ୟକତା ନଥାଏ ତାହାଲେ ଖଣ୍ଡପୀଠ ତାରିଖ ଧାର୍ଯ୍ୟ କରି ଚୁଡ଼‌ାନ୍ତ ଶୁଣାଣି କରିବେ। ନଭେମ୍ବର ୧୫ରେ ଓଡ଼ିଶା ଦ୍ୱାରା ଦାଖଲ ହୋଇଥିବା ମଧ୍ୟବର୍ତ୍ତିକାଳୀନ ଆବେଦନର ଶୁଣାଣି ଶେଷ ହେବାପରେ ଓଡ଼ିଶା ଦ୍ୱାରା ପୋଲାଭରମ୍‌ ପ୍ରକଳ୍ପକୁ ବିରୋଧ କରାଯାଇଥିବା ମୂଳ ମାମଲାର ଶୁଣାଣି ହେବ। ଏଥିପାଇଁ ସୁପ୍ରିମକୋର୍ଟ ୧୩ଟି ପ୍ରସଙ୍ଗକୁ ମୂଳ ମାମଲାରେ ଶୁଣାଣି କରିବାପାଇଁ ନିଷ୍ପତ୍ତି ନେଇଛନ୍ତି।

ସ୍ମରଣ‌େଯାଗ୍ୟ ଚଳିତବର୍ଷ ଜୁଲା‌ଇ ୧୦ରେ କେନ୍ଦ୍ର ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରାଳୟ ଦ୍ୱାରା ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ବନ୍ଦ ଥିବା ନିର୍ଦ୍ଦେଶନାମାକୁ ବ‌େର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇ ଆନ୍ଧ୍ର ପ୍ରଦେଶକୁ ପ୍ରକଳ୍ପ ନିର୍ମାଣ ପାଇଁ ଅନୁମତି ଦେଇଥିଲେ। ୨୦୧୧ ଫେବୃଆରୀ ୮ରେ କେନ୍ଦ୍ର ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରାଳୟ ଦ୍ବାରା ପୋଲାଭରମ ପ୍ରକଳ୍ପର ପରିବେଶ ମଂଜୁରି ନଥିବା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ବନ୍ଦ ଆଦେଶ ଦିଆଯାଇଥିଲା। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ଧ୍ରପ୍ରଦେଶ ସରକାର ଓ କେନ୍ଦ୍ର ସରକାରଙ୍କୁୂ ବାରମ୍ବାର ଅବଗତ କରାଯାଇଥିଲା। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି କାର୍ଯ୍ୟ ବନ୍ଦ ପାଇଁ ଅନୁରୋଧ କରିଥିଲେ। ହେଲେ ସମସ୍ତ ବିରୋଧ, ଦାବି ଓ ଅନୁରୋଧକୁ ଅଣଦେଖା କରାଯିବାପରେ କେନ୍ଦ୍ର ଦ୍ୱାରା କାର୍ଯ୍ୟବନ୍ଦ ଆଦେଶକୁ ସ୍ଥଗିତ ରଖାଯିବା‌ ନିଷ୍ପତ୍ତିକୁ ବିରୋଧ କରି ଓଡ଼ିଶା ଦ୍ୱାରା ସୁପ୍ରିମକୋର୍ଟରେ ମଧ୍ୟବର୍ତ୍ତିକାଳୀନ ଆବେଦନ ଦାଖଲ କରାଯାଇଥିଲା।

ସମ୍ବନ୍ଧିତ ଖବର