ନୂଆଦିଲ୍ଲୀ : ଆସନ୍ତାକାଲି ସୁପ୍ରିମକୋର୍ଟର ବିଚାରପତି ଏକେ ସିକ୍ରି , ବିଚାରପତି ଦୀପକ ଗୁପ୍ତା ଏବଂ ବିଚାରପତି ଏସ୍ ଅବଦୁଲ ନଜିରଙ୍କ ଖଣ୍ଡପୀଠରେ ପୋଲାଭରମ ପ୍ରକଳ୍ପ ମାମଲାର ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ। ଗତ ଡିସେମ୍ବର ୩ ତାରିଖରେ ପୋଲାଭରମ ପ୍ରକଳ୍ପ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପ୍ରକଳ୍ପ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କୁ ଦେବାପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ରାଜ୍ୟ ସରକାର ଓ ଛତିଶଗଡ଼ ସରକାରଙ୍କ ପକ୍ଷରୁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟକୁ ପତ୍ର ଲେଖାଯାଇଥିଲା ଏବଂ ଏହାକୁ ସୁପ୍ରିମକୋର୍ଟରେ ମଧ୍ୟ ଦାଖଲ କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ଲେଖାଯାଇଥିବା ପତ୍ରରେ କେନ୍ଦ୍ରୀୟ ଜଳ ଆୟୋଗକୁ ସମ୍ଭାବ୍ୟ ବନ୍ୟା ଜଳ ପାଇଁ ଫେରନ୍ତା ଜଳପ୍ରଭାବ ଅଧ୍ୟୟନ ନିମନ୍ତେ କୁହାଯାଇଛି। ଜନଶୁଣାଣି ପାଇଁ ଓଡ଼ିଶାକୁ ସୂଚନା ଯୋଗାଇ ଦେବାପାଇଁ ମଧ୍ୟ ପତ୍ରରେ କୁହାଯାଇଛି। ଓଡ଼ିଶାର ମାଲକାନାଗିରି ଜିଲ୍ଲାରେ ଫେରନ୍ତା ଜଳ ପ୍ରଭାବ ଅନୁଧ୍ୟାନକୁ ଉଚିତ୍ ରୂପେ ଆକଳନ କରାଯିବାର ଆବଶ୍ୟକତା ରହିଛି। ଏସବୁ ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ଏବଂ ଏଠାରେ ମୂଲ୍ୟବାନ୍ ଖଣିଜ ସମ୍ପଦ ରହିଛି ବୋଲି ପତ୍ରରେ ଉଲ୍ଲେଖ ଅଛି। ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସରକାରଙ୍କ ଦ୍ବାରା କେନ୍ଦ୍ର ସରକାରଙ୍କୁ ଲେଖାଯାଇଥିବା ପତ୍ରକୁ ସତ୍ୟପାଠ ଆକାରରେ ସୁପ୍ରିମ୍ କୋର୍ଟରେ ଦାଖଲ କରାଯାଇଥିଲା। ଅପରପକ୍ଷେ କେନ୍ଦ୍ର ସରକାରଙ୍କ ଦ୍ବାରା ଓଡ଼ିଶା ଏବଂ ଛତିଶଗଡ଼ ଦ୍ବାରା ଯେଉଁ ତଥ୍ୟ ଲୋଡ଼ାଯାଇଛି ତାହାର ଆଧାରରେ ଜନଶୁଣାଣି କରାଯିବ । ତେବେ ଏ ବାବଦ ସତ୍ୟପାଠ ସୁପ୍ରିମ୍ କୋର୍ଟରେ ଦାଖଲ ହୋଇନାହିଁ। ଏ ନେଇ ଆସନ୍ତାକାଲି ସୁପ୍ରିମ୍ କୋର୍ଟ ଶୁଣାଣି କରିବେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp