ପୋଲାଭରମ ପ୍ରକଳ୍ପ ମାମଲା : ଆନ୍ଧ୍ରର ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ : ପୋଲାଭରମ ପ୍ରକଳ୍ପ ପାରାମିଟର୍ସ- ଡ୍ୟାମ୍‌ର ଉଚ୍ଚତା, ଜଳାଶୟର କ୍ଷମତା ଏବଂ ଅପରେସନ ସେଡ୍ୟୁଲରେ କୌଣସି ପରିବର୍ତ୍ତନ ହୋଇନାହିଁ। ଓଡ଼ିଶା ଦ୍ବାରା ଏଗୁଡ଼ିକର ଅଧ୍ୟୟନପାଇଁ ଯେଉଁ ଦାବି କରାଯାଉଛି, ଏହାର କୌଣସି ଆବଶ୍ୟକତା ନାହିଁ। ସୁପ୍ରିମକୋର୍ଟରେ ପୋଲାଭରମ ପ୍ରକଳ୍ପ ସମ୍ପର୍କରେ ଓଡ଼ିଶାର ଆବେଦନ ଉପରେ ଏଭଳି ଢଙ୍ଗରେ ଜବାବ ରଖିଛି ଆନ୍ଧ୍ରପ୍ରଦେଶ।

ସତ୍ୟପାଠରେ ଆନ୍ଧ୍ରପ୍ରଦେଶ ପକ୍ଷରୁ କୁହାଯାଇଛି ଯେ, ପୋଲାଭରମ ଜଳସେଚନ ପ୍ରକଳ୍ପ ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲର ୧୯୮୦ ଆଵାର୍ଡ ତଥା ସହ-ବେସିନ ରାଜ୍ୟ ମଧ୍ୟରେ ହୋଇଥିବା ଆନ୍ତଃରାଜ୍ୟ ବୁଝମଣା ଅନ୍ତର୍ଗତ କାର୍ଯ୍ୟକାରୀ କରାଯାଉଛି। ଓଡ଼ିଶା ଏବଂ ତତ୍କାଳୀନ ମଧ୍ୟପ୍ରଦେଶ ମଧ୍ୟରେ ଆନ୍ତଃ-ରାଜ୍ୟ ବୁଝାମଣା ଅନ୍ତର୍ଗତ ପୋଲାଭରମ ପ୍ରକଳ୍ପ ନିର୍ମାଣ ପାଇଁ ସ୍ବାକ୍ଷର କରାଯାଇଥିଲା। ସେହି ସମୟରେ ଏକ ବିକଳ୍ପ ରହିଥିଲା, ପୋଲାଭରମ ପ୍ରକଳ୍ପ ଯୋଗୁଁ ପ୍ରଭାବିତ ଲୋକମାନେ କ୍ଷତିପୂରଣ ନେଇପାରିବେ। କେନ୍ଦ୍ର ପର୍ଯ୍ୟାବରଣ ଓ ଜଙ୍ଗଲ ମନ୍ତ୍ରାଳୟର ଏକ୍ସପର୍ଟ ଆପ୍ରାଇଜଲ କମିଟି ଦ୍ବାରା ଫେବ୍ରୁଆରି ୧୭, ୨୦୦୯ରେ ଅନୁଷ୍ଠିତ ହୋଇଥିବା ୨୩ ତମ ବୈଠକରେ ସୁରକ୍ଷିତ ଆଡ଼ିବନ୍ଧ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଥିଲା। ସୁରକ୍ଷିତ ଆଡ଼ିବନ୍ଧ ଛତିଶଗଡ଼ ଓ ଓଡ଼ିଶାରେ ଥିବା ସାବେରି ଓ ସିଲୁରା ନଦୀ ଉପରେ ନିର୍ମାଣ କରାଯିବା ଯାହାଦ୍ବାରା ଉଭୟ ରାଜ୍ୟକୁ ଜଳମଗ୍ନ ସମସ୍ୟାରୁ ରକ୍ଷା କରାଯାଇ ପାରିବ। ଏକ୍ସପର୍ଟ ଆପ୍ରାଇଜଲ କମିଟି ଦ୍ବାରା ପ୍ରକଳ୍ପ ପ୍ରପୋନେଣ୍ଟକୁ ସୁରକ୍ଷିତ ଆଡ଼ିବନ୍ଧ ନିର୍ମାଣ ସକାଶେ ଜନଶୁଣାଣି ପାଇଁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଉଭୟ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ର ଉପଯୁକ୍ତ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଓଡ଼ିଶା ଓ ଛତିଶଗଡ଼ ସେମାନଙ୍କ ଅଞ୍ଚଳରେ କୌଣସି ନା କୌଣସି ବାହାନା ନେଇ ଜନଶୁଣାଣି କରାଇନଥିଲେ ବୋଲି ଆନ୍ଧ୍ରପ୍ରଦେଶ ପକ୍ଷରୁ ସତ୍ୟପାଠରେ କୁହାଯାଇଛି। ଓଡ଼ିଶାର ଆବେଦନକୁ ଖାରଜ କରିବା ପାଇଁ ଆନ୍ଧ୍ରପ୍ରଦେଶ ପକ୍ଷରୁ ସତ୍ୟପାଠରେ କୁହାଯାଇଛି।

ଆନ୍ଧ୍ରର ସତ୍ୟପାଠ ଉପରେ ଓଡ଼ିଶା ଦୁଇ ସପ୍ତାହ ମଧ୍ୟରେ ତାହାର ଜବାବ ଦାଖଲ କରିବ, ଏନେଇ ସୁପ୍ରିମକୋର୍ଟ ଓଡ଼ିଶାକୁ ସମୟ ପ୍ରଦାନ କରିସାରିଛନ୍ତି।

ସମ୍ବନ୍ଧିତ ଖବର