୨୩ରେ ପୋଲାଭରମ ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ନୂଆଦିଲ୍ଲୀ : ସୋମବାର ଦିନ ସୁପ୍ରିମକୋର୍ଟରେ ପୋଲାଭରମ ପ୍ରକଳ୍ପ ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ହେବାକୁ ଥିବା ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୋଲାଭରମ ପ୍ରକଳ୍ପ କାର୍ଯ୍ୟବନ୍ଦ ଆଦେଶକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦ୍ୱାରା ବର୍ଷେ ପାଇଁ ସ୍ଥଗିତ ରଖି ଆନ୍ଧ୍ରପ୍ରଦେଶକୁ ପ୍ରକଳ୍ପ କାର୍ଯ୍ୟ ଜାରି ରଖିବାପାଇଁ ଅନୁମତି ଦେବା ପ୍ରସଙ୍ଗରେ ଅବଗତ କରାଯିବ ଏବଂ ଆନ୍ଧ୍ରପ୍ରଦେଶକୁ କାର୍ଯ୍ୟବନ୍ଦ ନିର୍ଦ୍ଦେଶ ଦେବାପାଇଁ ଅନୁରୋଧ କରାଯିବ ବୋଲି ଜଣାପଡ଼ିଛି। ନିକଟରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦ୍ୱାରା ପୋଲାଭରମ ପ୍ରକଳ୍ପ ଲାଗି ଜାରି କରାଯାଇଥିବା କାର୍ଯ୍ୟବନ୍ଦ ଆଦେଶକୁ ବର୍ଷେ ପାଇଁ ସ୍ଥଗିତ କରାଯାଇଛି। ଏହି ନିଷ୍ପତ୍ତିକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ମାମଲାରେ ହସ୍ତକ୍ଷେପ କରି ସୁପ୍ରିମକୋର୍ଟରେ ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ କହିଥିଲେ। ଏ ସମ୍ପର୍କରେ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ଶୁଣାଣି ସମୟରେ ଅବଗତ କରାଯିବ। ଅପରପକ୍ଷେ ପୋଲାଭରମ ବହୁମୁଖୀ ପ୍ରକଳ୍ପ ମାମଲାର ବିଭିନ୍ନ ଆଇନଗତ ଦିଗକୁ ତର୍ଜମା କରିବାପାଇଁ ତଥା ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲ୍‌ର ରାୟ ଆଧାରରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି କି ନାହିଁ ସେନେଇ ପକ୍ଷଭୁକ୍ତ ୬ ରାଜ୍ୟମାନଙ୍କର ପ୍ରକଳ୍ପ ସମ୍ପର୍କିତ ମୁଖ୍ୟ ପ୍ରସଙ୍ଗଗୁଡ଼ିକର ତାଲିକା ଅନୁସାରେ ସୁପ୍ରିମକୋର୍ଟ ଶୁଣାଣି କରିବେ ବୋଲି ଜଣାପଡ଼ିଛି। ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ସରକାର ୧୨ଟି ଓ ତେଲେଙ୍ଗାନା ରାଜ୍ୟ ଦ୍ୱାରା ୫ଟି ପ୍ରସଙ୍ଗ ସମ୍ପର୍କିତ ତାଲିକା କୋର୍ଟରେ ଦାଖଲ କରାଯାଇଛି। ସୂଚନାଯୋଗ୍ୟ ଓଡ଼ିଶା ଦ୍ୱାରା ପୋଲାଭରମ ପ୍ରକଳ୍ପ ବିରୋଧରେ ଦାଖଲ କରାଯାଇଥିବା ମୂଳ ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି।

ସମ୍ବନ୍ଧିତ ଖବର