ନୂଆଦିଲ୍ଲୀ : ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ପକ୍ଷଭୁକ୍ତ ରାଜ୍ୟଗୁଡ଼ିକ ପ୍ରସଙ୍ଗ ନିର୍ଧାରଣ ନକଲେ ନିଜଆଡ଼ୁ ପ୍ରସଙ୍ଗ ଧାର୍ଯ୍ୟ କରାଯିବ ବୋଲି କହିଛନ୍ତି। କେଉଁସବୁ ମୁଖ୍ୟ ପ୍ରସଙ୍ଗ ଗୁଡ଼ିକ ଶୁଣାଣି ପାଇଁ ଧାର୍ଯ୍ୟ କରାଯିବ ସେନେଇ ପକ୍ଷଭୁକ୍ତ ରାଜ୍ୟମାନେ କୌଣସି ପ୍ରକାର ନିଷ୍ପତ୍ତି ନେଇ ପାରୁନାହାନ୍ତି। ମୁଖ୍ୟ ପ୍ରସଙ୍ଗ ଗୁଡ଼ିକ ଉପରେ କୌଣସି ପ୍ରକାର ସହମତି ହୋଇପାରୁନି। ସୁପ୍ରିମକୋର୍ଟଙ୍କ ମେ’ ୧୧ ନିର୍ଦ୍ଦେଶ ସତ୍ତ୍ୱେ ମୁଖ୍ୟ ପ୍ରସଙ୍ଗ ଗୁଡ଼ିକର ତାଲିକା ପ୍ରସ୍ତୁତ ହୋଇପାରିନାହିଁ।
ଆଜି ସୁପ୍ରିମକୋର୍ଟର ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତା ସ୍ପଷ୍ଟ ରୂପେ ରାଜ୍ୟମାନଙ୍କୁ କହିଛନ୍ତି ଯେ ପରସ୍ପର ମଧ୍ୟରେ ବିଚାର ବିମର୍ଶ କରି ସହମତି ଭିତ୍ତି ଆଧାରରେ ମୁଖ୍ୟ ପ୍ରସଙ୍ଗ ଗୁଡ଼ିକର ତାଲିକା ପ୍ରଦାନ କଲେ ମାମଲାର ଶୁଣାଣି ଆରମ୍ଭ ହେବ। ଖଣ୍ଡପୀଠ ଆଜି ଜଣାଇ ଦେଇଛନ୍ତି ଯେ ଯଦି ପକ୍ଷଭୁକ୍ତ ରାଜ୍ୟମାନେ ପୋଲାଭରମ୍ ପ୍ରକଳ୍ପର ଶୁଣାଣି ପାଇଁ ମୁଖ୍ୟ ପ୍ରସଙ୍ଗ ଗୁଡ଼ିକର ତାଲିକା ଦେଇ ପାରୁନାହାନ୍ତି ତାହାଲେ ଖଣ୍ଡପୀଠଙ୍କ ଦ୍ୱାରା ମୁଖ୍ୟ ପ୍ରସଙ୍ଗ ଗୁଡ଼ିକ ଧାର୍ଯ୍ୟ କରାଯିବ। ଆଜି ପୋଲାଭରମ ପ୍ରକଳ୍ପ ମାମଲାରେ ଓଡ଼ିଶା ପକ୍ଷରୁ ଦାଖଲ କରାଯାଇଥିବା ମୂଳ ମାମଲାର ସଂକ୍ଷୀପ୍ତ ଶୁଣାଣି ସମୟରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଓକିଲ ଏ କେ ଗାଙ୍ଗୁଲି ଖଣ୍ଡପୀଠଙ୍କୁ କହିଥିଲେ ଯେ, ମୁଖ୍ୟ ପ୍ରସଙ୍ଗ ଗୁଡ଼ିକର ତାଲିକା ପ୍ରସ୍ତୁତ କରିବାପାଇଁ କୋର୍ଟଙ୍କ ମେ’ ୧୧, ୨୦୧୮ ନିର୍ଦ୍ଦେଶ ପରେ ପକ୍ଷଭୁକ୍ତ ରାଜ୍ୟମାନଙ୍କ ପକ୍ଷରୁ ତିନି ରାଉଣ୍ଡ୍ ବୈଠକ ହୋଇସାରିଛି। କିନ୍ତୁ କୌଣସି ପ୍ରକାର ଚୁଡ଼ାନ୍ତ ନିଷ୍ପତ୍ତି ହୋଇପାରିନି। ଓଡ଼ିଶା ତଥା ତେଲେଙ୍ଗାନା ଦ୍ୱାରା ପୋଲାଭରମ ପ୍ରକଳ୍ପ ସମ୍ପର୍କିତ ଯେଉଁ ମୁଖ୍ୟ ପ୍ରସଙ୍ଗ ଗୁଡ଼ିକର ତାଲିକା ପ୍ରସ୍ତୁତ ହୋଇଛି ତାହା ବିସ୍ତତ ତଥା ଅନେକ ପ୍ରସଙ୍ଗ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଓଡ଼ିଶାଦ୍ୱାରା ସର୍ବମୋଟ୍ ୧୨ଟି ମୁଖ୍ୟ ପ୍ରସଙ୍ଗ ଗୁଡ଼ିକ ଉଲ୍ଲେଖ କରାଯାଇଛି। ତେଲେଙ୍ଗାନା ରାଜ୍ୟ ଦ୍ୱାରା ୫ଟି ମୁଖ୍ୟ ପ୍ରସଙ୍ଗ ଉଲ୍ଲେଖ କରାଯାଇଛି। ଆନ୍ଧ୍ରପ୍ରଦେଶ ଦ୍ୱାରା ଶୁଣାଣି ସମୟରେ ମାମଲାର ୬ଟି ମୁଖ୍ୟ ପ୍ରସଙ୍ଗ ସମ୍ପର୍କରେ ତାଲିକା ଦାଖଲ କରାଯାଇଥିଲା। ତେବେ ମହାରାଷ୍ଟ୍ର. କର୍ଣ୍ଣାଟକ ତଥା ଛତିଶଗଡ଼ ରାଜ୍ୟ ପକ୍ଷରୁ ସେମାନଙ୍କ ଓକିଲ ପ୍ରସଙ୍ଗ ଗୁଡ଼ିକର ତାଲିକା ସମ୍ପର୍କରେ ଶୀଘ୍ର ଚୁଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଖଣ୍ଡପୀଠଙ୍କୁ କହିଥିଲେ।