ନୂଆଦିଲ୍ଲୀ: ଗୋଦାବରୀ ନଦୀରେ ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ଉପରେ ଚଳିତମାସ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ଟି ରାଜ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବେ। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ବୈଠକ କରାଯାଉଛି। ୨୦୨୭ ସୁଦ୍ଧା ଆନ୍ଧ୍ରପ୍ରଦେଶ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ତାରିଖ ଧାର୍ଯ୍ୟ କରିଥିବାବେଳେ ପୋଲାଭରମ୍ ପ୍ରକଳ୍ପକୁ ନେଇ ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନାର ଯେଉଁ ସବୁ ବିବାଦ ଓ ଆପତ୍ତି ରହିଛି ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସେଗୁଡ଼ିକର ସମାଧାନ ହୋଇପାରିବ କି ନାହିଁ, ସେ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତିନି ରାଜ୍ୟ (ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନା) ପକ୍ଷରୁ ପ୍ରକଳ୍ପ ସଂପର୍କିତ ଆପତ୍ତି ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ମୂଳ ମାମଲା ଦାଖଲ କରାଯାଇଥିବାବେଳେ ଆଇନଗତ ଲଢ଼େଇରୁ କୌଣସି ସିଦ୍ଧାନ୍ତ ବାହାରିପାରିନାହିଁ। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ ପ୍ରକଳ୍ପ କାର୍ଯ୍ୟ ଜାରି ରଖିଛି। ପୋଲାଭରମ୍ ପ୍ରକଳ୍ପକୁ ବିରୋଧ କରାଯାଇ ପ୍ରଥମେ ଓଡ଼ିଶା ୨୦୦୭ରେ ସୁପ୍ରିମକୋର୍ଟରେ ମୂଳ ମାମଲା ଦାଖଲ କରିଥିଲା। ବୈଧ ପରିବେଶ ମଞ୍ଜୁରି ବିନା ଏହି ପ୍ରକଳ୍ପ ନିର୍ମାଣ ହେଉଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ ହେବ।
୪ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ
ମୋଦୀଙ୍କ ବୈଠକ ୨୮ରେ
ସୁପ୍ରିମ୍କୋର୍ଟରେ ଓଡ଼ିଶାର ମୂଳ ମାମଲା ଉପରେ ଶୁଣାଣି ହୋଇଛି ୫୨ଥର
ବିଚାର ପାଇଁ ୧୪ ପ୍ରସଙ୍ଗ ନିର୍ଦ୍ଧାରଣ ପରେ ବି ଅଗ୍ରଗତି ହୋଇନାହିଁ
ଆନ୍ଧ୍ରପ୍ରଦେଶ ବଚାୱତ ଟ୍ରିବ୍ୟୁନାଲର ସୁପାରିସକୁ ଉଲ୍ଲଂଘନ କରି ପ୍ରକଳ୍ପ ନିର୍ମାଣ କରୁଛି ତଥା ପୋଲାଭରମ ପ୍ରକଳ୍ପର ମୂଳ ଡିଜାଇନ୍କୁ ପରିବର୍ତ୍ତନ କରାଯାଇ ପ୍ରକଳ୍ପର ଜଳଧାରଣ କ୍ଷମତାକୁ ୩୬ ଲକ୍ଷରୁ ୫୦ ଲକ୍ଷ କ୍ୟୁସେକ୍କୁ ବୃଦ୍ଧି କରାଯାଇଥିବା ଓଡ଼ିଶାର ଅଭିଯୋଗ ରହିଥିଲା। ଏହାପରେ ଛତିଶଗଡ଼ ୨୦୧୧ରେ ଏବଂ ତେଲେଙ୍ଗାନା ୨୦୧୯ରେ ସୁପ୍ରିମକୋର୍ଟରେ ମୂଳ ମାମଲା ଦାଖଲ କରିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୨୦୦୭ରେ ଓଡ଼ିଶା ଦ୍ବାରା ମାମଲା ଦାଖଲ କରାଯାଇଥିଲେ ବି ନ୍ୟାୟାଳୟରୁ ଓଡ଼ିଶାକୁ କୌଣସି ଆଶ୍ବସ୍ତି ମିଳିପାରିନାହିଁ। ସୁପ୍ରିମକୋର୍ଟର ତଥ୍ୟ ଅନୁସାରେ ଓଡ଼ିଶାର ମୂଳ ମାମଲାରେ ଶୁଣାଣି ମୋଟ ୫୨ଥର, ଛତିଶଗଡ଼ର ୧୦ ଓ ତେଲେଙ୍ଗାନାର ଥରେ ଶୁଣାଣି ହୋଇଛି। ତିନି ରାଜ୍ୟମାନଙ୍କ ଦ୍ବାରା ମୂଳ ମାମଲାକୁ ଭିତ୍ତି କରି କେଉଁ ସବୁ ପ୍ରସଙ୍ଗ ବିଚାରକୁ ନିଆଯିବ ତାହା ନିର୍ଦ୍ଧାରଣ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ୧୧ ବର୍ଷ ସମୟ ଲାଗିଥିଲା। ୨୦୧୮ ଅଗଷ୍ଟ ୨ରେ ସୁପ୍ରିମକୋର୍ଟର ତତ୍କାଳୀନ ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ମାମଲାର ବିଚାର ପାଇଁ ୧୪ଟି ପ୍ରସଙ୍ଗକୁ ନିର୍ଦ୍ଧାରଣ କରିଥିଲେ। ଏଥିରେ ଓଡ଼ିଶାର ସର୍ବାଧିକ ୮ଟି ପ୍ରସଙ୍ଗକୁ ସାମିଲ କରାଯାଇଥିଲା। ଏହା ସତ୍ତ୍ବେ ବିଚାର ପ୍ରକ୍ରିୟାରେ ବିଶେଷ ଅଗ୍ରଗତି ହୋଇପାରି ନଥିଲା। ହେଲେ ୨୦୨୨ ସେପ୍ଟେମ୍ବର ୬ର ଶୁଣାଣିରେ ତତ୍କାଳୀନ ବିଚାରପତି ସଞ୍ଜୀବ କିଶନ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ମାମଲାର ବିସ୍ତୃତ ଶୁଣାଣି କରିଥିଲେ।
କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟକୁ ସଂପୃକ୍ତ ୪ ରାଜ୍ୟର ଉଚ୍ଚ ପଦାଧିକାରୀଙ୍କ ବୈଠକ ଡାକି ସମାଧାନର ସୂତ୍ର ବାହାର କରିବାକୁ ପରାମର୍ଶ ଦେଇଥିଲେ। ସେଥିରେ କୌଣସି ମତପାର୍ଥକ୍ୟ ରହିଲେ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଡକାଯାଇ ସମାଧାନ କରିବାର ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଅଦାଲତଙ୍କ ପରାମର୍ଶ ଅନୁସାରେ ଚାରି ରାଜ୍ୟର ସଚିବସ୍ତରୀୟ ବୈଠକ କରାଇବାରେ ସଫଳ ହୋଇଥିଲା। ହେଲେ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ କରାଇବା ପାଇଁ ପ୍ରୟାସ କରିଥିଲେ ବି ସେଥିରେ ସଫଳତା ମିଳିପାରିନଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି କରିବା ପାଇଁ ଫେବ୍ରୁଆରି ୧୫,୨୦୨୩କୁ ଧାର୍ଯ୍ୟ କରିଥିଲେ ବି ଆଜି ପର୍ଯ୍ୟନ୍ତ ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇନାହିଁ। ଆପୋସ ସମାଧାନ ଜରିଆରେ ଜଳ ବିବାଦର ସମାଧାନ ପାଇଁ ମୋଦୀ ସରକାର ତୃତୀୟ ପାଳିରେ ବିଶେଷ ଗୁରୁତ୍ବ ଦେଉଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମେ ୨୮ର ଆଲୋଚନା ଏ ଦିଗରେ ବିଶେଷ ଗୁରୁତ୍ବ ବହନ କରୁଛି।