୨୦୨୧ ସୁଦ୍ଧା ଶେଷ ହେବ ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟ

ନୂଆଦିଲ୍ଲୀ : ଡିସେମ୍ବର ୨୦୨୧ ସୁଦ୍ଧା ପୋଲାଭରମ୍‌ ପ୍ରକଳ୍ପର କାର୍ଯ୍ୟ ଶେଷ ହେବ। ଆଜି ରାଜ୍ୟସଭାରେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରତନ ଲାଲ କାଟୋରିଆ ଏ ନେଇ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ କାଟୋରିଆ ଜଣାଇଛନ୍ତି ଯେ, ୨୦୧୮ ମସିହା ମାର୍ଚ୍ଚ ସୁଦ୍ଧ‌ା ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏହାପରେ ଯୋଜନା ଆୟୋଗ ଦ୍ବାରା ୨୦୦୯ରେ ପୁଞ୍ଜି ବିନିଯୋଗ ମଞ୍ଜୁରି ପରେ ଏହାକୁ ୨୦୧୯-୨୦ ସୁଦ୍ଧା ଶେଷ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ପ୍ରକଳ୍ପ ପ୍ରାଧିକରଣଙ୍କ ଦ୍ବାରା ଚୂଡ଼ାନ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତି ଅନୁସାରେ ଏହି ପ୍ରକଳ୍ପର କାର୍ଯ୍ୟକୁ ୨୦୨୧ ସୁଦ୍ଧା ଶେଷ କରାଯିବ ବୋଲି ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଜଣାଇଛନ୍ତି।

ଏତଦ୍‌ବ୍ୟତୀତ ମନ୍ତ୍ରାଳୟ ଦ୍ବାରା ପ୍ରକଳ୍ପର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଏକାଧିକ ପଦକ୍ଷେପ ନିଆଯାଇଥିବାର ସେ କହିଛନ୍ତି। ସେପ୍ଟେମ୍ବର ୩୦, ୨୦୧୬ରେ ଅର୍ଥ ମନ୍ତ୍ରାଳାୟ ଦ୍ବାରା ପାଣ୍ଠି ମଞ୍ଜୁରି କରାଯାଇଛି। ଜଳସେଚିତ ଉପକରଣ ଗୁଡ଼ିକ କାର୍ଯ୍ୟ ପୂରଣ ପାଇଁ ଶତ ପ୍ରତିଶତ ପାଣ୍ଠି ଯୋଗାଇ ଦିଆଯାଇଛି। କେନ୍ଦ୍ରୀୟ ସହାୟତା ବାବଦରେ ଏପ୍ରିଲ ୨୦୧୪ରୁ ୬୭୬୪.୧୪ କୋଟି ଟଙ୍କା ମଞ୍ଜୁରି କରାଯାଇଛି। ପ୍ରକଳ୍ପର ମୋଟାମୋଟି ପ୍ରଗତି ୬୭.୭୯ ପ୍ରତିଶତ ରହିଥିବା ବେଳେ ଡାହାଣ ମୁଖ୍ୟ କେନାଲର ୯୧.୬୯ ପ୍ରତିଶତ କାର୍ଯ୍ୟ ଶେଷ କରାଯାଇଛି। ପ୍ରକଳ୍ପର ନିୟମିତ ତଦାରଖ କରାଯାଉଛି। ଥଇଥାନ ଓ ପୁନର୍ବାସ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ସଚିବଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ୧୨, ୨୦୧୭ରେ କମିଟି ଗଠନ କରାଯାଇଛି, ଯାହା ଜମି ଅଧିଗ୍ରହଣ ତଥା ଥଇଥାନ ଓ ପୁନର୍ବାସ କାର୍ଯ୍ୟର ତଦାରଖ କରୁଛି।

ଏହି ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କର କେଉଁସବୁ ଆପତ୍ତି ରହିଛି ସେ ସମ୍ପର୍କରେ ସାଂସଦ କେ ଭି ପି ରାମଚନ୍ଦ୍ର ରାଓଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଡିଜାଇନ ଫ୍ଲଡ୍‌ର ଆକଳନ ଓ ଫେରନ୍ତା ଜଳର ଅଧ୍ୟୟନ ତଥା ପରିବେଶ ମଞ୍ଜୁରିକୁ ନେଇ ଆପତ୍ତି ରହିଥିଲା। ରାଜ୍ୟ ସରକାରଙ୍କ ଦ୍ବାରା ଏନେଇ ସୁପ୍ରିମକୋର୍ଟରେ ସୁଟ୍ ମଧ୍ୟ ଦାଖଲ କରାଯାଇଛି। ଆନ୍ତଃରାଜ୍ୟ ବୈଠକରେ ଜୁନ ୨, ୨୦୧୬ରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଜ୍ୟ ସରକାରଙ୍କୁ ଡିଜାଇନ୍ ଫ୍ଲଡ୍, ଫେରନ୍ତା ଜଳ, ସମ୍ପର୍କରେ ଆନ୍ଧ୍ରପ୍ରଦେଶ ସରକାର ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲା। ଏହାପରେ ୨୦୧୯ରେ କେନ୍ଦ୍ର ଜଳ ଆୟୋଗ ରାଜ୍ୟ ସରକାରଙ୍କୁ ଏହାର ଜବାବ ପଠାଇଥିଲେ ବୋଲି ମନ୍ତ୍ରୀ ତାଙ୍କର ଲିଖିତ ଉତ୍ତରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର