ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଆଉ ୨ ବର୍ଷ ଚାଲୁ ରଖିବା ପାଇଁ ଅନୁମତି ମିଳିବା ପରେ ଆନ୍ଧ୍ର ପକ୍ଷରୁ ଏବେ ଏହି ପ୍ରକଳ୍ପ କାର୍ଯ୍ୟ ୨୦୨୦ ସୁଦ୍ଧା ଶେଷ କରିବାକୁ ତତ୍ପରତା ପ୍ରକାଶ ପାଇଛି। ଆନ୍ଧ୍ରପ୍ରଦେଶର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ତଥା ଏଥିରେ ଯେଭଳି ବିଳମ୍ବ ନହୁଏ ସେନେଇ ନିୟମିତ ଅବଧିରେ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ସଂକ୍ରାନ୍ତ ସମୀକ୍ଷା କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। କେନ୍ଦ୍ରକୁ ଆନ୍ଧ୍ରପ୍ରଦେଶ ଦ୍ବାରା ପ୍ରକଳ୍ପ କାର୍ଯ୍ୟ ପାଇଁ ଯେଉଁ ସଂଶୋଧିତ ବ୍ୟୟ ଅଟକଳ ମଞ୍ଜୁରି ପ୍ରସ୍ତାବ ପ୍ରଦାନ କରାଯାଇଛି ତାହା ଅନୁେମାଦନ ହେବାପରେ ପ୍ରକଳ୍ପ କାର୍ଯ୍ୟରେ ତୀବ୍ରତା ଆସିବ ବୋଲି କୁହାଯାଉଛି।
ଅପରପକ୍ଷେ ଏହି ପ୍ରକଳ୍ପକୁ ନେଇ ଓଡ଼ିଶାର ଯେଉଁ ଆପତ୍ତି ରହିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ସରକାର ସମାଧାନ କରିପାରିନଥିବାରୁ ଓଡ଼ିଶାର ସ୍ବାର୍ଥ ବାଧିତ ହେବାର ଆଶଙ୍କା ରହିଛି।
ଏପଟେ ଲୋକସଭାରେ ଆଜି ବିଜୁ ଜନତା ଦଳର (ବିଜେଡି)ର ସାଂସଦ ରମେଶ ଚନ୍ଦ୍ର ମାଝୀ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି । ଶୂନ୍ୟକାଳରେ ଏହି ବିବାଦୀୟ ପ୍ରସଙ୍ଗକୁ ଶ୍ରୀ ମାଝୀ ଲୋକସଭାରେ ଉଠାଇଥିଲେ। ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ପୋଲାଭରମ ପ୍ରକଳ୍ପକୁ ଆନ୍ଧ୍ରର ସ୍ବାର୍ଥ ଦୃଷ୍ଟିରେ ରଖି ନିର୍ମାଣ କରାଯାଉଛି କି ? ଓଡ଼ିଶା ପାଇଁ କୌଣସି ପ୍ରକାର ଦରଦ ଦେଖାଯାଉନାହିଁ। ସେ କହିଥିଲେ ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳ ପ୍ରଭାବିତ ହେବା ସହିତ ଜଳମଗ୍ନ ହେବ। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦ୍ବାରା ସେହି ଅଞ୍ଚଳରେ ଜନ ଶୁଣାଣି କରାନଯାଇ ପରିବେଶ ମଞୁରି ପ୍ରଦାନ କରାଯାଇଥିଲା। ଓଡ଼ିଶାକୁ ଅଣଦେଖା କରାଯାଇଥିଲା ।
ଆନ୍ଧ୍ରକୁ ଏହି ପ୍ରକଳ୍ପ ପାଇଁ ଏକତରଫା କେନ୍ଦ୍ର ତରଫରୁ ଯେଉଁ ଅନୁମତି ଦିଆଯାଉଛି ତାହାର ସେ ବିରୋଧ କରୁଛନ୍ତି ବୋଲି ମାଝୀ କହିଥିଲେ। ସେ ଏହି ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ପାଇଁ ଦାବି ମଧ୍ୟ କରିଥିଲେ। ନିର୍ମାଣ ଅନୁମତିକୁ ମଧ୍ୟ ସେ ବିରୋଧ କରିଥିଲେ।
ତେେବ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରକଳ୍ପ ନିର୍ମାଣ ପାଇଁ ଦୁଇ ବର୍ଷର ଅନୁମତି ଦେବାକୁ ଆନ୍ଧ୍ରପ୍ରଦେଶ ସାଂସଦମାନେ ସ୍ବାଗତ କରିଥିବା ବେଳେ ଓଡ଼ିଶାର ଯେଉଁ ଆପତ୍ତି ରହିଛି ତାହା ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକରେ ସମାଧାନ କରିବା ପାଇଁ ମତ ରଖିଥିଲେ। ବିଜେପି ସାଂସଦ ସୁରେଶ ପୂଜାରୀଙ୍କ କହିବା ଅନୁସାରେ ପ୍ରକଳ୍ପ ଅନ୍ୟ କୌଣସି ପ୍ରଦେଶର କ୍ଷତି କରିବା ଉଚିତ ନୁହେଁ। ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶାର କେତେ ଓ କ’ଣ କ୍ଷତି ହେବ ସେ ବାବଦରେ ରାଜ୍ୟ ସରକାର ବୈଷୟିକ କମିଟି ଗଠନ କରୁ ନାହାନ୍ତି। ଶ୍ବେତପତ୍ର ପ୍ରସ୍ତୁତ କରୁ ନାହାନ୍ତି କି ବିରୋଧୀ କିମ୍ବା ଓଡ଼ିଶାବାସୀଙ୍କୁ ମଧ୍ୟ ବିଶ୍ବାସରେ ନେଉ ନାହାନ୍ତି। ରାଜ୍ୟ ସରକାରଙ୍କ ବିରୋଧରେ ଏଭଳି ଅଭିଯୋଗ କରିବା ସହିତ ସେ ସ୍ପଷ୍ଟ କରିଥିଲେ ଯେ ପୋଲାଭରମ ହେଉ ବା ମହାନଦୀ, ଓଡ଼ିଶାର ସ୍ବାର୍ଥକୁ ନେଇ ଭାରତୀୟ ଜନତା ପାର୍ଟି କେବେ ବି ସାଲିସ କରିବ ନାହିଁ ।
ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ସାଂସଦ ରାମ ମୋହନ ନାଇଡ଼ୁ କହିଥିଲେ ପୋଲାଭରମ ପ୍ରକଳ୍ପକୁ ନେଇ ଓଡ଼ିଶା ଯେଉଁ ଆପତ୍ତି ଉଠାଇଛି ତାହା ସମାଧାନ କରିବା ଦିଗରେ ପ୍ରୟାସ ହେବ। ପୂର୍ବରୁ ଚନ୍ଦ୍ରବାବୁ ନାଇଡ଼ୁ ମଧ୍ୟ ଓଡ଼ିଶା ସରକାରଙ୍କ ସହିତ ବିବାଦର ସମାଧାନ ପାଇଁ ପ୍ରୟାସ କରିଥିଲେ। ଅପରପକ୍ଷେ କୋରାପୁଟ୍ ସାଂସଦ ସପ୍ତଗିରି ଉଲ୍ଲାକା କହିଥିଲେ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାପାଇଁ ଯେଉଁ ୨ ବର୍ଷର ଅନୁମତି ଦିଆଯାଇଛି ଦଳ ଦ୍ବାରା ଆଭିମୁଖ୍ୟ ସ୍ପଷ୍ଟ କରାଯିବ।
ବିଭିନ୍ନ ରାଜନୈତିକ ଦଳର ସାଂସଦମାନେ ଏହି ପ୍ରସଙ୍ଗରେ ମାପିଚୁପି ବୟାନ ରଖୁଥିବା ବେଳେ କେନ୍ଦ୍ର ଦ୍ବାରା ଦୁଇ ବର୍ଷର ନିର୍ମାଣ ଅନୁମତି ଦେବା ପରିପ୍ରେକ୍ଷୀରେ ସ୍ପଷ୍ଟ ହୋଇଯାଉଛି େଯ ପୋଲାଭରମ ପ୍ରକଳ୍ପ ଆନ୍ଧ୍ରପ୍ରଦେଶ ପାଇଁ ଜଳ ସେଚନ, ବିଦ୍ୟୁତ ଉତ୍ପାଦନ ଓ ପାନୀୟ ଜଳର ସୁବିଧା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଭାବେ ସାବ୍ୟସ୍ତ ହେବ। ବିବାଦୀୟ ପୋଲାଭରମ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଥିବାରୁ ରାଜ୍ୟ ସରକାରଙ୍କ ଦ୍ବାରା ଦାଖଲ କରାଯାଇଥିବା ମୂଳ ମାମଲାର ଖୁବ୍ଶୀଘ୍ର ଶୁଣାଣି କରି ଫୈସଲା କରିବା ପାଇଁ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପୁନଃ ଆବେଦନ କରିବାର ସମ୍ଭାବନା ରହିଛି।
ଏହି ପ୍ରକଳ୍ପକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ତଥା ତତ୍କାଳୀନ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ଏ ଦିଗରେ କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଇନଥିବା ବେଳେ ଆନ୍ଧ୍ରପ୍ରଦେଶରେ ନୂଅା ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏହି ପ୍ରସଙ୍ଗରେ ଓଡ଼ିଶାର ଆପତ୍ତିକୁ ନେଇ କେଉଁ ପ୍ରକାର ଆଭିମୁଖ୍ୟ ରଖିବେ ସେନେଇ କିଛି ସ୍ପଷ୍ଟ ହୋଇପାରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/polavaram-1.jpg)