୨୦୨୨ ଏପ୍ରିଲରେ ଶେଷ ହେବ ପୋଲାଭରମ୍ କାର୍ଯ୍ୟ

ନୂଆଦିଲ୍ଲୀ :ପୋଲାଭରମ ଇନ୍ଦିରା ସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଏପ୍ରିଲ ୨୦୨୨ରେ ଶେଷ ହେବ। ଆନ୍ଧ୍ରପ୍ରଦେଶ ସରକାରଙ୍କ ନିକଟରୁ ପ୍ରାପ୍ତ ସୂଚନା ଅନୁସାରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ରତନ ଲାଲ କଟାରିଆ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଜଣାଇଛନ୍ତି।

ପୂର୍ବରୁ ପୋଲାଭରମ୍ ପ୍ରକଳ୍ପ କାର୍ଯ୍ୟକୁ ଡିସେମ୍ବର ୨୦୨୧ ସୁଦ୍ଧା ସମାପ୍ତ କରାଯିବାର ଲକ୍ଷ୍ୟଧାର୍ଯ୍ୟ ଆନ୍ଧ୍ରପ୍ରଦେଶ ଦ୍ବାରା କରାଯାଇଥିଲା। ପୋଲାଭରମ୍ ପ୍ରକଳ୍ପ ପ୍ରାଧିକରଣର ୧୩ ତମ ବୈଠକରେ ପ୍ରକଳ୍ପର କାର୍ଯ୍ୟକୁ ସଂଶୋଧିତ ଅବଧି ଅନ୍ତର୍ଗତ ଏପ୍ରିଲ ୨୦୨୨ରେ ଶେଷ କରାଯିବାକୁ ନେଇ ତାରିଖ ଧାର୍ଯ୍ୟ କରାଯାଇଥିବାର କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ପୋଲାଭରମ୍ ପ୍ରକଳ୍ପର ସ୍ପିଲ୍‌ୱେର କାର୍ଯ୍ୟ ମେ’ ୨୦୨୧ରେ, କଫର୍ ଡ୍ୟାମ୍‌ର କାର୍ଯ୍ୟ ଜୁନ ୨୦୨୧ରେ, ବାମ ମୁଖ୍ୟ କେନାଲ୍‌ର କାର୍ଯ୍ୟ ଏପ୍ରିଲ ୨୦୨୨ ତଥା ଡାହାଣ ମୁଖ୍ୟ କେନାଲର କାର୍ଯ୍ୟ ଏପ୍ରିଲ ୨୦୨୨ରେ ଶେଷ କରାଯିବ। ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ଏହି ପ୍ରକଳ୍ପ ପାଇଁ ଏପ୍ରିଲ ୨୦୧୪ରୁ ଜାନୁୟାରୀ ୨୦୨୧ ସୁଦ୍ଧା ୧୨,୩୯୨.୧୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ କେନ୍ଦ୍ରୀୟ ସହାୟତା ଅନ୍ତର୍ଗତ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧୦,୮୪୮.୩୬ କୋଟି ଟଙ୍କା ମଞ୍ଜୁର କରିଥିବା କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର