ପୁଲିସ-ଆଇନଜୀବୀ ସଂଘର୍ଷ ମାମଲା: ଦିଲ୍ଲୀରେ ପୁଲିସର ପ୍ରତିବାଦ

୧୧ ଘଣ୍ଟା ପରେ ଆନ୍ଦୋଳନ ପ୍ରତ୍ୟାହାର, ବାର୍‌ କାଉନ୍‌ସିଲଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ: ଦିଲ୍ଲୀର ତିସ୍‌ ହଜାରୀ କୋର୍ଟରେ ଗତ ୨ ତାରିଖ ଦିନ ପୁଲିସ ଏବଂ ଓକିଲଙ୍କ ମଧ୍ୟରେ ସଂଘର୍ଷକୁ ନେଇ ଉପୁଜିଯିବା ବିବାଦ ଏବେ ଉଗ୍ର ରୂପ ନେଇଛି। ଆଜି ସକାଳୁ ଦିଲ୍ଲୀ ପୁଲିସ ମୁଖ୍ୟାଳୟ ବାହାରେ ବହୁ ସଂଖ୍ୟାରେ ପୁଲିସ କର୍ମୀ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଅପରାହ୍ନରେ ଇଣ୍ଡିଆ ଗେଟ୍‌ ସମ୍ମୁଖରେ ପୁଲିସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁଲିସ କମିସନରଙ୍କ ପକ୍ଷରୁ ସମସ୍ତ ପୁଲିସ କର୍ମୀ ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବାକୁ ନିବେଦନ କରାଯାଇଥିଲେ ମଧ୍ୟ ସମସ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ଅଡ଼ି ବସିଥିଲେ। ରାତି ସାଢ଼େ ୮ଟା ବେଳେ ସବୁ ଦାବି ପୂରଣ ହେବ ବୋଲି ପୁଲିସ କର୍ତ୍ତୃପକ୍ଷଙ୍କ ଆଶ୍ବାସନା ପରେ ୧୧ ଘଣ୍ଟା ଧରି ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହାର ହୋଇଛି। ପୁଲିସ-ଓକିଲ ହିଂସାତ୍ମକ ସଂଘର୍ଷର ବିଚାର ବିଭାଗୀୟ ତଦନ୍ତ ଚାଲିଥିବାରୁ ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ପୁଲିସ କର୍ମୀମାନେ ଯଥାରୀତି ସେମାନଙ୍କ କାର୍ଯ୍ୟ ସଂପାଦନ କରିବାକୁ କୁହାଯାଇଛି । ମାମଲା ଗମ୍ଭୀର ରୂପ ନେଇଥିବାରୁ ଗୃହ ମନ୍ତ୍ରାଳୟ ସ୍ଥିତି ସମୀକ୍ଷା କରିବା ସହ ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି। ପୁଲିସ କର୍ମୀଙ୍କ ପରିବାରବର୍ଗ ମଧ୍ୟ ଓକିଲଙ୍କ ବିରୋଧରେ ଆନ୍ଦୋଳନରେ ସାମିଲ ହୋଇଥିଲେ। ପୁଲିସ କର୍ମୀଙ୍କ ପରିବାର ସଦସ୍ୟମାନେ ଦିଲ୍ଲୀ-ଚଣ୍ଡିଗଡ଼ ଜାତୀୟ ରାଜପଥ ଅବରୋଧ କରିବାରୁ ଯାନ ଚଳାଚଳ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା।

ପୁଲିସ କର୍ମୀମାନେ ୪ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେଗୁଡ଼ିକ ହେଲା ପୁଲିସ୍‌ ୱେଲ୍‌ଫେର ଆସୋସିଏସନ ଗଠନ କରିବା, ପୁଲିସ ଉପରେ ଆକ୍ରମଣ ହେବାମାତ୍ରେ ତ୍ବରିତ କାର୍ଯ୍ୟାନୁଷ୍ଠାନ, ୨ ତାରିଖ ସଂଘର୍ଷ ମାମଲାରେ ନିଲମ୍ବିତ ହୋଇଥିବା ପୁଲିସ କର୍ମୀଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଏବଂ ଦୋଷୀ ଆଇନଜୀବୀଙ୍କ ବିରୋଧରେ ମାମଲା ରୁଜୁ । ଦିଲ୍ଲୀ ପୁଲିସ କମିସନର ଅମୂଲ୍ୟ ପଟ୍ଟନାୟକ ପୁଲିସ କର୍ମୀଙ୍କୁ ସମସ୍ତ ଦାବି ପୂରଣ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏସିପି ଦେବେଶ ଶ୍ରୀବାସ୍ତବ କହିଛନ୍ତି ଯେ ପୁଲିସ କର୍ମୀଙ୍କ ଅଭିଯୋଗ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସମସ୍ତ ଦାବି ପୂରଣ ହେବ । ତେବେ ପୁଲିସ ଚାକିରିରେ ଅନୁଶାସନକୁ ସର୍ବାଧିକ ଗୁରୁତ୍ବ ଦେବାକୁ ହେବ ଏବଂ ଏହାକୁ କାଏମ ରଖିବା ପାଇଁ ପୁଲିସ ଅଧିକାରୀଙ୍କ ଉପରେ ଭରସା ରଖିବାକୁ ହେବ ବୋଲି ସେ କହିଥିଲେ। ଦିଲ୍ଲୀ ସା‌କେତ କୋର୍ଟରେ ଆଜି ପୁଲିସ କର୍ମୀଙ୍କୁ ଆକ୍ରମଣ ନେଇ ମାମଲା ରୁଜୁ ହୋଇଛି । ଓକିଲମାନେ ପୁଲିସ କର୍ମୀଙ୍କୁ ଦେଖିବାମାତ୍ରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆଜି ଦିଲ୍ଲୀ ହାଇକୋର୍ଟ ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ଏବଂ ଦିଲ୍ଲୀ ବାର୍‌ କାଉନ୍‌ସିଲକୁ ନୋଟିସ୍‌ ଜାରି କରିଛନ୍ତି। ବାର୍‌ କାଉନ୍‌ସିଲ ଏହାର ସଦସ୍ୟମାନଙ୍କୁ ଆଇନକୁ ‌ସମ୍ମାନ ଦେଇ କାର୍ଯ୍ୟ କରିବା ଦିଗରେ ନିର୍ଦ୍ଦେଶ ଦେବା ସହ ପୁଲିସ ଉପରେ ଆକ୍ରମଣ କରିଥିବା ଓକିଲଙ୍କ ନାମ ପ୍ରକାଶ କରିବାକୁ ହେବ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର