ରାଜକୋଟ ଦୁର୍ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

ଅହମଦାବାଦ: ରାଜକୋଟ ଦୁର୍ଘଟଣାରେ ପୁଲିସ କମିଶନର ରାଜୁ ଭାର୍ଗବ କହିଛନ୍ତି ଯେ ଆମେ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛୁ। ଆଇପିସିର ଧାରା ୩୦୪, ୩୦୮, ୩୩୭, ୩୩୮, ୧୧୪ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଜଣଙ୍କୁ ଗିରଫ କରାଯାଇଛି | ଯେଉଁମାନଙ୍କର ନାମ ଯୁବରାଜ ହରିସିଂହ ସୋଲାଙ୍କି ଏବଂ ନିତିନ ଜୈନ ବୋଲି ଜଣାପଡିଛି | କମିଶନର କହିଛନ୍ତି ଯେ ଏହି ଦୁଇଜଣ ସେଠାରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ | ସେ କହିଛନ୍ତି ଯେ ଗତ ରାତି ପର୍ଯ୍ୟନ୍ତ ଆମେ ୨୭ଟି ମୃତଦେହ ଉଦ୍ଧାର କରିଛୁ। ସେମାନଙ୍କୁ ସିଭିଲ ହସ୍ପିଟାଲକୁ ପଠାଯାଇଥିଲା ଏବଂ ସେମାନଙ୍କର ଡିଏନଏ ନମୁନା ନିଆଯାଇଥିଲା | ଏହି ମାମଲାରେ ମ୍ୟାନେଜର ନିତିନ ଜୈନ ଏବଂ ଯୁବରାଜ ସୋଲାଙ୍କିଙ୍କୁ ଗିରଫ କରାଯାଇଛି।

ଅବଶିଷ୍ଟ ଅଭିଯୁକ୍ତଙ୍କୁ ଖୋଜୁଛି ଏସଆଇଟି ଟିମ୍। ପୁଲିସ କହିଛି ଯେ ୨୭ ଜଣଙ୍କ ମୃତଦେହ ମିଳିଥିଲା, ଯାହାର ବୟସ ୧୮ ରୁ ୨୫ ବର୍ଷ ଥିଲା। ପୁଲିସ କହିଛି ଯେ ଏହି ୧୭ଜଣଙ୍କ ମଧ୍ୟରୁ ୫ଟି ମୃତଦେହ ମହିଳାଙ୍କ ହୋଇଥିବାବେଳେ ୩ ଜଣଙ୍କ ଲିଙ୍ଗ ଚିହ୍ନଟ ହୋଇନାହିଁ। ଉଲ୍ଲେଖ ଥାଉ କି ଗୁଜୁରାଟର ରାଜକୋଟସ୍ଥିତ ଟିଆରପି ସପିଂ ମଲ୍ ଭିତରେ ଥିବା ଏକ ଗେମିଂ ଜୋନରେ ଗତକାଲି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା | ଶନିବାର ଏହି ଗେମିଂ ଜୋନରେ ୯୯ ଟଙ୍କାର ୱିକେଣ୍ଡ ସ୍କିମ୍ ଆରମ୍ଭ ହୋଇଥିଲା। ଏହି ଯୋଜନା ଯୋଗୁଁ ଗେମ୍ ଜୋନ୍ ରେ ବହୁ ସଂଖ୍ୟକ ପିଲାଙ୍କ ସମେତ ବହୁ ଲୋକ ଉପସ୍ଥିତ ଥିଲେ। ତେବେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ମାତ୍ର ୬ରୁ ୭ ଫୁଟର ଗୋଟିଏ ଗେଟ୍ ଥିଲା। କୁହାଯାଉଛି ଯେ ଗେମିଂ ଜୋନରେ ଅଗ୍ନି ଏନଓସି କିମ୍ବା ନିରାପତ୍ତା ବ୍ୟବସ୍ଥା ନଥିଲା ।ଏଭଳି ପରିସ୍ଥିତିରେ ନିଆଁ ଲାଗିବା ପରେ ଅନେକ ଲୋକ ସମୟ ବାହାରକୁ ବାହାରି ପାରିନଥିଲେ ଏବଂ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

ସମ୍ବନ୍ଧିତ ଖବର