ଦିଲ୍ଲୀ ହିଂସା ପାଇଁ ଷଡଯନ୍ତ୍ର କରିଥିବା ପ୍ରମାଣ ମିଳିବା ପରେ ଜେଏନୟୁର ପୂର୍ବତନ ଛାତ୍ର ନେତା ଉମର ଖାଲିଦ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଉମର ଖାଲିଦ ଗିରଫ । ରବିବାର ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଟିମ୍ ବେଆଇନ ଗତିବିଧି ରୋକିବା ଅଧିନିୟମ ୟୁଏପିଏ ଆଧାରରେ ଖାଲିଦଙ୍କୁ ଗିରଫ କରିଛି । ଦିଲ୍ଲୀ ହିଂସାର ଷଡଯନ୍ତ୍ରକାରୀ ଭାବେ ତାଙ୍କୁ ଗିରଫ କରାଯାଇଛି । ସେ ହିଂସା ପାଇଁ ଉସକାଇଥିବା ପୁଲିସକୁ ପ୍ରମାଣ ମିଳିବା ପରେ ଗିରଫ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି ।  ସୂଚନା ଅନୁସାରେ ସମନ ପଠାଇ ଉମରଙ୍କୁ ପଚରାଉଚରା କରିବା ପାଇଁ ଡାକିଥିଲା ପୁଲିସ। ପ୍ରାୟ ୧୧ ଘଣ୍ଟା ପଚରାଉଚରା କରାଯିବା ପରେ ତାଙ୍କୁ ଗିରଫ କରାଯାଇଛି ।

ତେବେ ଏହାକୁ ବିରୋଧ କରିଛି ୟୁନାଇଟେଡ୍ ଏଗନେଷ୍ଟ ହେଟ୍ ଗ୍ରୁପ୍ । ଏଥିସହ ତାଙ୍କୁ ଅଧିକରୁ ଅଧିକ ସୁରକ୍ଷା ଯୋଗାଇ ଦେବାକୁ ଏହି ଗ୍ରୁପ୍ ପକ୍ଷରୁ ଦାବି କରାଯାଇଛି । ସେହିପରି ସିଏଏ ଓ ଏନଆରସି ବିରୋଧରେ ଲଢ଼େଇ ଜାରି ରହିବ ବୋଲି କୁହାଯାଇଛି । ପୂର୍ବରୁ ମଧ୍ୟ ଦିଲ୍ଲୀ ହିଂସା ମାମଲାରେ ଖାଲିଦଙ୍କୁ ପଚରାଉଚରା କରିଥିଲା ଦିଲ୍ଲୀ ପୁଲିସ। ଚଳିତ ବର୍ଷ ଫେବ୍ରୁଆରୀ ମାସ ୨୩ ରୁ ୨୬ ତାରିଖ ମଧ୍ୟରେ ଏନଆରସିକୁ ବିରୋଧ ପ୍ରଦର୍ଶନ କରି ଉତ୍ତର ଦିଲ୍ଲୀରେ ହିଂସା ହୋଇଥିଲା । ଏଥିରେ ପ୍ରାୟ ୫୦ଜଣଙ୍କ ଜୀବନ ଯାଇଥିଲା ଓ ଶତାଧିକ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ ।

ସମ୍ବନ୍ଧିତ ଖବର