୬ ଛୁଆଙ୍କୁ କୂଅରେ ଫିଙ୍ଗିଦେଇଥିବା ମା’କୁ ଗିରଫ କଲା ପୁଲିସ

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି | ପାରିବାରିକ କଳହ ପରେ ସୋମବାର ଜଣେ ମା ନିଜର ୬ ଜଣ ଛୁଆଙ୍କୁ କୂଅରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି। ମୃତ ଶିଶୁଙ୍କ ମଧ୍ୟରେ ପାଞ୍ଚ ଜଣ ଝିଅ ଏବଂ ଜଣେ ପୁଅ ଥିବା ପୁଲିସ କହିଛି। ତେବେ ଏହି ଘଟଣା ପରେ ପୁଲିସ ପିଲାମାନଙ୍କୁ ହତ୍ୟା ଅଭିଯୋଗରେ ମାଆକୁ ଗିରଫ କରିଛି । ମିଳିଥିବା ସୂଚନା ମୁତାବକ ମୁମ୍ବାଇଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ଖରାବାଲି ଗ୍ରାମରେ ଏହି ଘଟଣା ଘଟିଛି । ପୁଲିସ କହିଛି ଯେ ୩୦ ବର୍ଷ ବୟସ୍କା ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ପରିବାର ସଦସ୍ୟ ମାଡ଼ ମାରିଥିଲେ |

ଆଉ ଏହା ପରେ ମହିଳା ଜଣକ ଏହି ପଦକ୍ଷେପ ନେଇଥିଲେ। ମହିଳା ଜଣକ ନିଜର ୬ ପିଲାଙ୍କ ସହ କୂଅକୁ ଡେଇଁପଡିଥିଲେ, କିନ୍ତୁ ଗ୍ରାମବାସୀ ତାଙ୍କୁ ଜୀବନ୍ତ ଉଦ୍ଧାର କରିଥିବାବେଳେ ସମସ୍ତ ଶିଶୁଙ୍କର ମୃତ୍ୟୁ ହୋଇଯାଇଥିଲା | ମୃତ ଶିଶୁମାନଙ୍କର ବୟସ ୧୮ ମାସରୁ ୧୦ ବର୍ଷ ମଧ୍ୟରେ ଥିଲା ବୋଲି ପୁଲିସ ଅଧିକାରୀ କହିଛନ୍ତି।

ରାୟଗଡ ଜିଲ୍ଲା ଏସପି ଅଶୋକ ଦୁଧେ କହିଛନ୍ତି, “ମହିଳାଙ୍କ ସ୍ୱାମୀ ମଦ୍ୟପାନ କରି ତାଙ୍କୁ ସବୁବେଳେ ମାଡ ମାରୁଥିଲେ | ଆଉ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା। ସୋମବାର ଦିନ ବିବାଦ ପରେ ମହିଳାଜଣକ ପ୍ରଥମେ ସମସ୍ତ ପିଲାଙ୍କୁ କୂଅରେ ଫିଙ୍ଗିଦେଇଥିଲା ଓ ଏହା ପରେ ନିଜେ ଡେଇଁପଡ଼ିଥିଲେ | ଏହି ମାମଲାର ଅନୁସନ୍ଧାନ କରୁଥିବା ଅଧିକାରୀ ଏଏସଆଇ ମାରୁତି ଆନ୍ଧେକ କହିଛନ୍ତି ଯେ ପିଲାମାନଙ୍କର ମାଆଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର