୧୦୦ଟି କାରରେ ପିଛା କରି ଅମୃତପାଲକୁ ଧରିଲା ପୁଲିସ, ହାଇଆଲର୍ଟରେ ସମଗ୍ର ପଞ୍ଜାବ

ଚଣ୍ଡିଗଡ଼ : ଖାଲିସ୍ତାନୀ ସମର୍ଥକ ତଥା ‘ୱାରିସ୍ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂ ତାର ୬ ସହଯୋଗୀଙ୍କୁ ଗିରଫ କରିଛି ପଂଜାବ ପୁଲିସ । ପ୍ରଥମେ ଅମୃତପାଲର ସହଯୋଗୀମାନେ ଧରା ପଡ଼ିବା ପରେ ଅମୃତପାଲକୁ ଜଲୁପୁର ଖେରା ଗ୍ରାମ ନିକଟରୁ ଗିରଫ କରାଯାଇଛି । ତାକୁ ଧରିବାକୁ ପ୍ରାୟ ୧୦୦ଟି ଗାଡ଼ିରେ ପୁଲିସ ପିଛା କରିଥିଲା । ପୁଲିସ ଅମୃତପାଲର ସହଯୋଗୀମାନଙ୍କୁ ଜଳନ୍ଧର ଜିଲ୍ଲାର ମେହତପୁର ଥାନାରେ ଅଟକ ରଖିଛି ।

ସୁରକ୍ଷା ଦୃଷ୍ଟିକୋଣରୁ ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପଞ୍ଜାବର ଅନେକ ସ୍ଥାନରେ ଇଣ୍ଟରନେଟ୍ ବନ୍ଦ କରାଯାଇଛି । ସଙ୍ଗରୁର ଜିଲ୍ଲାରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରହିଛି। ସଙ୍ଗରୁର ହେଉଛି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଜିଲ୍ଲା । ଅମୃତସର-ଜଳନ୍ଧର ରାଜପଥରେ ମଧ୍ୟ ପୁଲିସ ମୁତୟନ ବଢ଼ାଇ ଦିଆଯାଇଛି। ବରନାଲା ଜିଲ୍ଲାରେ ମୋବାଇଲ  ଓ ଇଣ୍ଟରନେଟ୍ ସେବା କୁ ମଧ୍ୟ ବନ୍ଦ କରି ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ସମଗ୍ର ପଞ୍ଜାବରେ ରବିବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ଘୋଷଣା କରାଯାଇଛି ।

ଚଳିତ ମାସ ପ୍ରାରମ୍ଭରେ ଅମୃତସର ବିମାନ ବନ୍ଦରରୁ ଅମୃତପାଲ ସିଂହର ଜଣେ ଘନିଷ୍ଠ ସହଯୋଗୀ ଦେଶ ଛାଡ଼ି ଇଂଲଣ୍ଡ ପଳାଇଯିବାକୁ ଉଦ୍ୟମ କରିଥିବାବେଳେ ଗିରଫ ହୋଇଥିଲେ । ଗୁରୁ ରାମଦାସ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଗୁରିନ୍ଦରପାଲ ସିଂ ଓଜଲାଙ୍କୁ ଅଟକ ରଖିଥିଲେ। ସେ ଖଲିସ୍ତାନୀ ଚିନ୍ତାଧାରା ପ୍ରସାର ପାଇଁ ସୋସିଆଲ ମିଡିଆର ବ୍ୟବହାର କରୁଥିଲା ।

ସମ୍ବନ୍ଧିତ ଖବର