ଇମ୍ରାନଙ୍କ ଘରେ ପହଞ୍ଚିଲା ପୁଲିସ, ରାତିରେ ଗିରଫଦାରି ସମ୍ଭାବନା

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଏ ଇନସାଫ( ପିଟିଆଇ)ର ମୁଖ୍ୟ ଇମ୍ରାନ ଖାଁଙ୍କ ଘରେ ପ୍ରବେଶ କରିଛି ପୁଲିସ୍ । ପାକିସ୍ତାନର ଏକ ସମାଚାର ଚ୍ୟାନେଲ ବୋଲ୍ ନ୍ୟୁଜର ରିପୋର୍ଟ ଅନୁସାରେ ପୁଲିସ ଇମ୍ରାନଙ୍କ ବାସଭବନରେ ପ୍ରବେଶ କରିସାରିଛି ଓ ଯେକୌଣସି ସମୟରେ ତାଙ୍କର ଗିରଫଦାରି ହୋଇପାରେ ।

ସେପଟେ ଏହି ଘଟଣାକୁ ନେଇ ପ୍ରଥମେ ଲାହୋରର ଜମନ ପାର୍କରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଏବେ ପାକିସ୍ତାନର ଅନ୍ୟାନ୍ୟ ସହରକୁ ବ୍ୟାପିଯାଇଛି । ପିଟିଆଇ କର୍ମୀମାନେ ପାକିସ୍ତାନର ବିଭିନ୍ନ ସହରରେ ରାସ୍ତାକୁ ଓହ୍ଲାଇ ପଥରମାଡ଼ ଓ ଜଳାପୋଡ଼ା କରିଚାଲିଛନ୍ତି । ଇସ୍ଲାମାବାଦ, କରାଚି, ପେଶାଓ୍ବରରେ ସ୍ଥିତି ଜଟିଳ ହେବାରେ ଲାଗିଛି । ପିଟିଆଇ କର୍ମୀଙ୍କୁ ଘଉଡ଼ାଇବାକୁ ପୁଲିସ୍ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ, ଲାଠିମାଡ଼ ଆଦି କରାଯାଉଛି ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅଗଷ୍ଟ ମାସରେ ଏକ ରାଲିରେ ମନ୍ତବ୍ୟ ଦେଇଥିବାରୁ ଇମ୍ରାନ୍ ଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଖାଁ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଜେବା ଚୌଧୁରୀ ଏବଂ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ତାଙ୍କ ଦଳ ପ୍ରତି ପକ୍ଷପାତିତା ମନୋଭାବ ପାଇଁ ଭୟଙ୍କର ପରିଣାମ ଭୋଗିବାକୁ ଚେତାବନୀ ଦେଇଥିଲେ। ଏହି ମାମଲା ଓ  ଲାହୋର ତାସାଖାନା ଦୁର୍ନୀତି ମାମଲାରେ ଇମ୍ରାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି ।

ସମ୍ବନ୍ଧିତ ଖବର