କଂଗ୍ରେସ ମୁଖ୍ୟାଳୟରେ ପୁଲିସ; କାର୍ଯ୍ୟାଳୟରେ ପଶି ପୁଲିସ ପିଟିଛି: କଂଗ୍ରେସ

ଅଭିଯୋଗକୁ ପୁଲିସର ଖଣ୍ଡନ, ଆଜି ଦେଶବ୍ୟାପୀ ରାଜଭବନ ଘେରାଉ

ନୂଆଦିଲ୍ଲୀ: ନେସନାଲ ହେରାଲଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆଜି ତୃତୀୟ ଦିନରେ ଜେରା କରିଥିବା ବେଳେ ଇଡି ଜେରାକୁ ବିରୋଧ କରି କଂଗ୍ରେସ ନେତା ଏବଂ କର୍ମୀମାନେ ଆଜି ମଧ୍ୟ ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାହୁଲଙ୍କୁ ଆଜି ଇଡି ଜେରା କରୁଥିବା ବେଳେ ଇଡି ଅଫିସ୍‌ ବାହାରେ ଏବଂ କଂଗ୍ରେସ ମୁଖ୍ୟାଳୟ ବାହାରେ କଂଗ୍ରେସ କର୍ମୀ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଂଗ୍ରେସ କର୍ମୀମାନେ ରାହୁଲ ଗାନ୍ଧି ଜିନ୍ଦାବାଦ ସ୍ଲୋଗାନ ଦେବା ସହ ଇଡି ଜେରାକୁ ପ୍ରବଳ ବିରୋଧ କରିଥିଲେ। ଅନ୍ୟପକ୍ଷେ କଂଗ୍ରେସ ପକ୍ଷରୁ ମଧ୍ୟ ଆସନ୍ତାକାଲି ଦେଶବ୍ୟାପୀ ରାଜଭବନ କିମ୍ବା ରାଜ୍ୟପାଳ ଏବଂ ଉପରାଜ୍ୟପାଳଙ୍କ ବାସଭବନ‌ ‘ଘେରାଉ’ ଡାକରା ଦିଆଯାଇଛି।

ଦିଲ୍ଲୀ ପୁଲିସ ଆଜି କଂଗ୍ରେସ ମୁଖ୍ୟାଳୟରେ ପ୍ରବେଶ କରି କିଛି ଦଳୀୟ କର୍ମୀଙ୍କୁ ଉଠାଇ ନେଇଛି ଏବଂ ମାଡ଼ପିଟ କରିଥିବା ଅଭିଯୋଗ ‌ହୋଇଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯେୱାଲାଙ୍କ ଅଭିଯୋଗ ଅନୁଯାୟୀ ଦିଲ୍ଲୀ ପୁଲିସ କଂଗ୍ରେସ ଦଳର ମୁଖ୍ୟାଳୟକୁ ଧସେଇ ପଶି କର୍ମୀମାନଙ୍କୁ ମାଡ଼ପିଟ କରିଛି। ଏଥିପାଇଁ ‌ଯେଉଁମ‌ାନେ ଦାୟୀ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୂର୍ଯେୱାଲା ଦାବି କରିଛନ୍ତି। ଦିଲ୍ଲୀ ପୁଲିସର ଏହା ଗୁଣ୍ଡାଗିରି ବୋଲି ସୁର୍ଯେୱାଲା କହିଛନ୍ତି। ଉକ୍ତ କାର୍ଯ୍ୟ ପାଇଁ ଯେଉଁ ପୁଲିସ କର୍ମୀ ଦାୟୀ ସେମାନଙ୍କୁ ତୁରନ୍ତ ନିଲମ୍ବନ କରାଯିବା ଏବଂ ଉକ୍ତ ଘଟଣାରେ ଏତଲା ରୁଜୁ କରିବାକୁ ସେ କହିଛନ୍ତି। ସୂର୍ଯେୱାଲା କହିଛନ୍ତି, ଆସନ୍ତାକାଲି ଦେଶବ୍ୟାପୀ ରାଜଭବନ ଘେରାଉ କରାଯିବ ଏବଂ ଶୁକ୍ରବାର ଜିଲ୍ଲାସ୍ତରରେ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ ସୂର୍ଯେୱାଲାଙ୍କ ଅଭିଯୋଗକୁ ଖଣ୍ଡନ କରିଛି। ସ୍ବତନ୍ତ୍ର ପୁଲିସ କମିସନର ସାଗର ପ୍ରୀତ ହୁଦା କହିଛନ୍ତି, ଦିଲ୍ଲୀ ପୁଲିସ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଚିତ ପଦକ୍ଷେପ ନେଇଛି। ରାହୁଲଙ୍କୁ ଇଡି ଜେରାକୁ ବିରୋଧ କରି ଆନ୍ଦୋଳନ ଜାରି ରହିଥିବା ବେଳେ ପ୍ରାୟ ୮୦୦ କଂଗ୍ରେସ କର୍ମୀ ଏବଂ ବରିଷ୍ଠ ନେତାମାନେ ସୋମବାରଠାରୁ ଅଟକ ରହିଛନ୍ତି। ବୁଧବାର ମଧ୍ୟ ଅନେକ ସଂଖ୍ୟାରେ କର୍ମୀ ଏବଂ ନେତା ଇଡି ଅଫିସ ବାହାରେ ଆନ୍ଦୋଳନ କରିଥିବାରୁ ସେମାନଙ୍କୁ ଅଟକ ରଖାଯାଇଛି। ଆନ୍ଦୋଳନକାରୀଙ୍କୁ ଏଥିପାଇଁ ଅନୁମତି ମିଳିନଥିଲେ ମଧ୍ୟ ସେମାନେ ବଳପୂର୍ବକ ଶକ୍ତି ପ୍ରଦର୍ଶନ କରିଚାଲିଛନ୍ତି। ପୁଲିସ ସୋମବାର ଦିନ ୪୫୯ କଂଗ୍ରେସ କର୍ମୀ ଏବଂ ନେତାଙ୍କୁ ଅଟକ ରଖିଥିଲା ଏବଂ ମଙ୍ଗଳବାର ଦିନ ୨୧୭ ନେତା ଓ କର୍ମୀଙ୍କୁ ଅଟକ ରଖିଛି। ଆଜି ମଧ୍ୟ ୧୫୦ କର୍ମୀଙ୍କୁ ଅଟକ ରଖାଯାଇଛି।

ଦିଲ୍ଲୀ ପୁଲିସ ଆଜି ରାଜସ୍ଥାନ କଂଗ୍ରେସ ନେତା ସଚିନ ପାଇଲଟ୍‌ଙ୍କୁ ମଧ୍ୟ ଅଟକ ରଖିଛି। ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଦଳର ମୁଖ୍ୟାଳୟକୁ ଯାଉଥିବାବେଳେ ବାଟରେ ତାଙ୍କୁ ପୁଲିସ ଅଟକାଇଥିଲା ଏବଂ ଦିଲ୍ଲୀର ନରେଲା ଥାନା ନେଇଯାଇଛି। କଂଗ୍ରେସ ସାଂସଦ କାର୍ତ୍ତି ଚିଦମ୍ବରମ ଆଜି ଟ୍ବିଟରରେ ଏନେଇ ଏକ ଭିଡିଓ ସେୟାର କରିଛନ୍ତି। ଉକ୍ତ ଘଟଣାକୁ ବିରୋଧ କରି ଅନ୍ୟ ଦଳୀୟ କର୍ମୀମାନେ ସ୍ଲୋଗାନ ଦେଇ ଦିଲ୍ଲୀ ପୁଲିସକୁ ପ୍ରଶ୍ନ କରିଥିଲେ ଏବଂ ଉକ୍ତ ଘଟଣାକୁ ସେମାନଙ୍କ ଫୋନ୍‌ରେ ରେକର୍ଡ କରିଥିଲେ। କାର୍ତ୍ତି ଚିଦମ୍ବରମ କହିଛନ୍ତି , ଦିଲ୍ଲୀ ପୁଲିସ ବିଜେପିର ବ୍ୟକ୍ତିଗତ ସେନା ଭଳି ବ୍ୟବହାର ପ୍ରଦର୍ଶନ କରୁଛି। ତେବେ ଦିଲ୍ଲୀ ପୁଲିସ ଏଭଳି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି। ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ମିଥ୍ୟା ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ସ୍ବତନ୍ତ୍ର ପୁଲିସ କମିସନର ସାଗର ହୁଦା କହିଛନ୍ତି ଆଜିର ଆନ୍ଦୋଳନ ପାଇଁ ଅନୁମତି ନିଆଯାଇନଥିବାରୁ ୧୫୦ ଜଣଙ୍କୁ ଅଟକ ରଖାଯାଇଛି।

ସମ୍ବନ୍ଧିତ ଖବର