ଖୁଲମଖୁଲା ଆମାଜନରେ ବିକ୍ରି ହେଉଥିଲା ଗଞ୍ଜେଇ! ପୁଲିସ ରୁଜୁ କଲା ମାମଲା

ଭୋପାଳ: ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ଅନଲାଇନରେ ଗଞ୍ଜେଇ ବିକ୍ରି କରୁଥିବା ଏକ ରାକେଟ ଉପରେ ଚଢ଼ାଉ କରାଯାଇଛି। ଆଉ ଏହି ଘଟଣାରେ ପୁଲିସ ଲୋକପ୍ରିୟ ଅନଲାଇନ ସପିଙ୍ଗ ସାଇଟ ଏଏସଏସଏଲ ଆମାଜନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ନଭେମ୍ବର ୧୩ରେ ଭିଣ୍ଡର ଗୋହାଡ ଅଞ୍ଚଳରୁ ୨୧ କିଲୋଗ୍ରାମ ୭୩୪ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା | ଏହି ଘଟଣାରେ ପିଣ୍ଟୁ ଏବଂ ସୁରଜ ନାମକ ଦୁଇ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା |

ଏହି ଘଟଣାରେ ଗଞ୍ଜେଇ କିଣୁଥିବା ମୁକୁଲ ଜୈସୱାଲ ଓ ଚିତ୍ରା ବାଲମିକ ନାମକ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଥିଲା। ପୁଲିସର ପଚରାଉଚରା ବେଳେ ଅଭିଯୁକ୍ତ ସୁରଜ ଏବଂ ମୁକୁଲ ଜୈସୱାଲ ‘ବାବୁ ଟେକ୍ସ’ ନାମକ ଏକ ନକଲି କମ୍ପାନୀ ଗଠନ କରିଥିବା ସ୍ୱୀକାର କରିଥିଲେ | ବାବୁ ଟେକ୍ସ କମ୍ପାନୀ ନାମରେ ଏହି ଦୁଇଜଣ ଏଏସଏସଏଲ ଆମାଜନରେ ନିଜକୁ ବିକ୍ରେତା ଭାବରେ ପଞ୍ଜୀକୃତ କରିଥିଲେ | ଏହା ପରେ, ଏହି ଲୋକମାନେ ବିଶାଖାପାଟନମରୁ ଗଞ୍ଜେଇ ଆଣି ଗ୍ରାହକଙ୍କୁ ଷ୍ଟିଭିଆ ନାମରେ ଗଞ୍ଜେଇ ବିକ୍ରି କରୁଥିଲେ |

ପୁଲିସ ଅଧିକାରୀ କହିଛନ୍ତି ଯେ ଏନଡିପିଏସ ଆକ୍ଟ ୧୯୮୫ର ଧାରା ୩୮ ଅନୁଯାୟୀ ଏଏସଏସଏଲ ଆମାଜନ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି | ଏହି ଘଟଣାକୁ ନେଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଡ଼. ନରୋତ୍ତମ ମିଶ୍ର କହିଛନ୍ତି ଯେ ଆମାଜନ କମ୍ପାନୀର ଅଧିକାରୀମାନେ ସହଯୋଗ କରୁନାହାଁନ୍ତି। ଯଦି ଏହା ଜାରି ରହେ, ତେବେ ଏହାର ସିଇଓ ଏବଂ ଏମଡିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନଡିପିଏସ ଆକ୍ଟ ୧୯୮୫ର ଧାରା ୩୮ ଅନୁଯାୟୀ ଯଦି କୌଣସି କମ୍ପାନୀ ଦ୍ୱାରା କୌଣସି ଅପରାଧ ହୋଇଥାଏ, ତେବେ ସେହି ଅପରାଧ ସମୟରେ ସାମିଲ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅପରାଧରେ ଦୋଷୀ ବୋଲି ଧରାଯିବ |

ସମ୍ବନ୍ଧିତ ଖବର