ହାଥରାସ୍: ହାଥରସ୍ ମାମଲାକୁ ନେଇ ଦେଶରେ ବିକ୍ଷୋଭ ଓ ଆନ୍ଦୋଳନ ଚାଲିଛି। ଏଥିପାଇଁ କେନ୍ଦ୍ରର ମୋଦୀ ଓ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ସବୁଆଡ଼ୁ ସମାଲୋଚନା କରାଯାଉଛି। ଘଟଣାକୁ ସମ୍ଭାଳିବାରେ ବିଫଳ ହୋଇଥିବା ପୁଲିସ ଏବେ ଏହାକୁ ଚପାଇବା ପାଇଁ ଭିନ୍ନ ପନ୍ଥା ବାଛିଛି। ଦଙ୍ଗା ପଛରେ ଷଡ଼୍ଯନ୍ତ୍ରର ଗନ୍ଧ ପୁଲିସ ବାରିପାରିଛି। ଜାତିଭିତ୍ତିକ ଦଙ୍ଗା ସୃଷ୍ଟି ଏବଂ ଦେଶଦ୍ରୋହ ଭଳି ଆଇପିସିର ବିଭିନ୍ନ ଦଫାରେ ହାଥରାସ୍ ପୁଲିସ ଅଜଣା ବ୍ୟକ୍ତିମାନଙ୍କ ନାମରେ ଏଫଆଇଆର୍ ରୁଜୁ କରିଛି। ଚଣ୍ଡପା ଥାନାରେ ଏହି ଏଫ୍ଆଇଆର୍ ଦିଆଯାଇଛି। ହାଥରସ୍ ଜିଲ୍ଲାରେ ୬ଟି ମାମଲା ରୁଜୁ ହୋଇଥିବାବେଳେ ବିଜନୋର, ସାହାରନପୁର, ବୁଲନ୍ଦସହର, ଆହ୍ଲାବାଦ, ଅଯୋଧ୍ୟା ଏବଂ ଲକ୍ଷ୍ନୌରେ ୧୩ଟି ମାମଲା ହୋଇଛି। ଆଇପିସିର ଧାରା ୧୨୪ଏ(ଦେଶଦ୍ରୋହ), ୫୦୫( ଦେଶ ବିରୋଧରେ ଅପରାଧ ରଚିବା ଏବଂ ସାଧାରଣରେ ଶାନ୍ତି ଭଙ୍ଗ ପାଇଁ ଅନ୍ୟକୁ ଉସୁକାଇବା), ୧୫୩ଏ( ବିଭିନ୍ନ ଗୋଷ୍ଠୀ ବିରୋଧରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା) ଧାରା ଆଦି ଲଗାଯାଇଛି। ଏଥିସହିତ ଆଇଟି ଆଇନର ଧାରା ୬୭ ଦଫା ମଧ୍ୟ ଲଗାଯାଇଛି।
ହାଥରସ୍ ମାମଲା ସଂପର୍କରେ ଉତ୍ତର ପ୍ରଦେଶ ସରକାର ପ୍ରଦାନ କରିଥିବା ବିବୃତି ଓ ତଥ୍ୟକୁ ଏପଟସେପଟ କରାଯାଇ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରାଯାଇଛି। ସେହିଭଳି ଅନ୍ୟମାନଙ୍କୁ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ମିଥ୍ୟା ଲୋଗୋକୁ ବ୍ୟବହାର କରାଯାଇ ଲୋକଙ୍କୁ ଭ୍ରମିତ କରିବା ଭଳି ବିଷୟବସ୍ତୁର ପ୍ରସାର କରାଯାଇଛି। ଏହି ଘଟଣାରେ ଗଭୀର ଷଡ଼୍ଯନ୍ତ୍ର ହୋଇଛି ଏବଂ ଏହାର ତଦନ୍ତ ହେବ ବୋଲି ବରିଷ୍ଠ ପୁଲିସ ଅଧିକାରୀ ପ୍ରଶାନ୍ତ କିଶୋର କହିଛନ୍ତି। କିଛି ଅଭିଯୁକ୍ତ ଏଭଳି ବିଷୟବସ୍ତୁ ପ୍ରସାର କରୁଛନ୍ତି ଯାହା ଜାତିଭିତ୍ତିକ ଦଙ୍ଗା ସୃଷ୍ଟି କରିପାରେ। ବର୍ତ୍ତମାନ ପରିପ୍ରେକ୍ଷୀରେ ଏହା ଏକ ଗୁରୁତର ଅପରାଧ ବୋଲି ସେ କହିଛନ୍ତି। ତେବେ ଆପ୍ ସାଂସଦ ସଂଜୟ ସିଂହ ଏକ ପ୍ରତିନିଧି ଦଳର ନେତୃତ୍ବ ନେଇ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପାଇଁ ତାଙ୍କ ଗ୍ରାମ ଅଭିମୁଖେ ଯାଉଥିବା ସମୟରେ ତାଙ୍କ ଉପରକୁ କାଳି ଫିଙ୍ଗା ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/dssg65ad4g9a4g98adga89g4adgdgggd-1.jpg)