ଗୋରଖପୁର: ପରୀକ୍ଷାରେ କମ ମାର୍କ ଆସିବାରୁ କାଳେ ଘରେ ଗାଳି କରିବେ ସେହି ଚିନ୍ତାରେ ଘର ଛାଡି ପଳାଇଥିଲେ ଯୁବକ | ଏହା ପରେ ପରିବାର ସଦସ୍ୟ ତାଙ୍କର ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ | ଆଉ ଦୀର୍ଘ ୨୨ ମାସ ପରେ ନିଖୋଜ ଯୁବକଙ୍କୁ ଉଦ୍ଧାର କରିଛି ପୁଲିସ | ଉତ୍ତରପ୍ରଦେଶର ଗୋରଖପୁରରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି | ପୁଲିସର ସୂଚନାନୁସାରେ, ପରୀକ୍ଷାରେ ଫେଲ ହୋଇଥିବାରୁ ପରିବାର ସଦସ୍ୟ କାଳେ ଗାଳିଗୁଲଜ କରିବେ, ସେହି ଡରରେ ଜଣେ ଛାତ୍ର ଘର ଛାଡି ପଳାଇଥିଲେ |

Advertisment

ଏହି ମାମଲାରେ ସମ୍ପର୍କୀୟଙ୍କ ଅଭିଯୋଗ ଅନୁଯାୟୀ, ଗୋରଖପୁରର କ୍ୟାଣ୍ଟ ପୁଲିସ ଷ୍ଟେସନରେ ୨୦୧୮ ମସିହାରେ ଏକ ନିଖୋଜ ମାମଲା ପଞ୍ଜିକୃତ ହୋଇଥିଲା । ତେବେ ବହୁ ଅନୁସନ୍ଧାନ ପରେ ଛାତ୍ରଙ୍କୁ ନ ପାଇବାରୁ ପୁଲିସ ଫାଇଲ ବନ୍ଦ କରିଦେଇଥିଲା | ତେବେ ନିଖୋଜ ଛାତ୍ରଙ୍କ ଆଧାର କାର୍ଡରେ ଗୁଜୁରାଟରେ ଏକ ମୋବାଇଲ୍ ସିମ୍ କ୍ରୟ କରାଯାଇଥିବାର ପୁଲିସ ପାଖରେ ଖବର ପହଞ୍ଚିଥିଲା | ଏହା ସହ ସେହି ସିମ୍ ମାଧ୍ୟମରେ ସୋସିଆଲ ମିଡିଆରେ ଏକ ଆକାଉଣ୍ଟ ମଧ୍ୟ ଖୋଲାଯାଇଥିଲା | ଏହା ପରେ ପୁଲିସ ପକ୍ଷରୁ ଏହି ନମ୍ବରକୁ ଟ୍ରାକ କରାଯାଇଥିଲା |

ମୋବାଇଲ ନମ୍ବରଟି ଗୁଜୁରାଟର ରାଜକୋଟରେ ସକ୍ରିୟ ଥିବାର ଜଣାପଡିଥିଲା | ଏହା ପରେ ଗୋରଖପୁର ପୁଲିସର ଏକ ସ୍ୱତନ୍ତ୍ର ଟିମ ଯାଇ ରାଜକୋଟରେ ଖୋଜିଥିଲା | ଶେଷରେ ନିଖୋଜ ଯୁବକ ଜଣକ ଏକ ପିଜା ସେଣ୍ଟରରେ କାମ କରୁଥିବାବେଳେ ପୁଲିସ ତାଙ୍କୁ ଧରିଥିଲା | ଗୋରଖପୁର ଏସପି ସୋନମ କୁମାର କହିଛନ୍ତି ଯେ ପରୀକ୍ଷାରେ ଫେଲ ହେବା ପରେ ପରିବାର ସଦସ୍ୟଙ୍କ ଗାଳିଗୁଲଜ ଭୟରେ ଯୁବକ ଜଣକ ଗୁଜୁରାଟ ଚାଲିଯାଇଥିଲେ | ଯେଉଁଠାରେ ସେ ପିଜା ସେଣ୍ଟରରେ କାମ କରିବା ଆରମ୍ଭ କରିଥିଲେ | ଏବେ ଉଦ୍ଧାର ହୋଇଥିବା ଛାତ୍ରଙ୍କୁ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି |