କୋଲକାତାରେ ପୁଣି ତେଜିଲା ପୁଲିସ-ସିବିଆଇ ବିବାଦ

ନାଗେଶ୍ବରଙ୍କ ପତ୍ନୀଙ୍କ କମ୍ପାନି ଉପରେ ପୁଲିସ ଚଢ଼ଉ

କୋଲକାତା: ସିବିଆଇର ପୂର୍ବ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ବର ରାଓଙ୍କର ପତ୍ନୀଙ୍କ କୋଲକାତା ସଲ୍ଟ ଲେକ୍‌ରେ ଥିବା ଆଞ୍ଜେଲିନା ପ୍ରାଇଭେଟ୍‌ ଲିମିଟେଡ୍‌ ଉପରେ ପୁଲିସ ଚଢ଼ଉ କରିଛି। ତେବେ, କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଚଢ଼ଉ କରାଯାଇଛି ତାହା ପୁଲିସ ସ୍ପଷ୍ଟ କରିନାହିଁ। ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ଅଧିକାରୀମାନେ ଗତ ସପ୍ତାହରେ କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ପଚରାଉଚୁରା କରିବାକୁ ଆସିଥିବା ବେଳେ କୋଲକାତା ପୋଲିସ୍‌ ସେମାନଙ୍କୁ ବଳପୂର୍ବକ ଅଟକ ରଖିବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଲିସ କମିସନରଙ୍କ ସପକ୍ଷରେ ୩ ଦିନ ଧରି ଧାରଣା ଦେଇଥିଲେ। ଏହି ମାମଲାରେ ସୁପ୍ରିମ୍‌ କୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିବା ବେଳେ ଏହି ଘଟଣା ପରେ ଆଜି ସନ୍ଧ୍ୟାରେ ସିବିଆଇର ପୂର୍ବ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କର ଘର ଓ ପତ୍ନୀଙ୍କ କମ୍ପାନି ଉପରେ ପୁଲିସ ଚଢ଼ଉ କରିବା ଚର୍ଚ୍ଚାର ବିଷୟ ପାଲଟିଛି। ଆସନ୍ତାକାଲି ‌କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ସିଲଂରେ ସିବିଆଇ ଜେରା କରିବାର ଦିନକ ପୂର୍ବରୁ ପୁଲିସର ଏଭଳି ପଦକ୍ଷେପ ପୁଣି ମୁହାଁମୁହିଁ ସ୍ଥିତି ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର