ସିବିଆଇ-ପଶ୍ଚିମବଙ୍ଗ ପୁଲିସ ବିବାଦ: ସୁରକ୍ଷା ଲାଗି ହାଇକୋର୍ଟ ଗଲେ କୋଲକାତା ପୁଲିସ କମିସନର

କୋଲକାତା: ସାରଦା ଏବଂ ରୋଜ ଭ୍ୟାଲି ଦୁର୍ନୀତି ମାମଲାରେ ଗତକାଲି ସିବିଆଇ କୋଲକାତା ପୁଲିସ କମିସନରଙ୍କ ପଚରାଉଚରା ଲାଗି ତାଙ୍କ ବାସଭବନକୁ ଆସିଥିବା ବେଳେ ଏହାର ବିରୋଧ କରିଥିଲା
ପଶ୍ଚିମବଙ୍ଗ ପୁଲିସ। ସିବିଆଇ ଅଧିକାରୀଙ୍କୁ ବଳପୂର୍ବକ ଥାନକୁ ନେଇଗଲା ପୁଲିସ୍‌। ଏହି ମୁହାଁମୁହିଁ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇର ମନମୁଖୀ କାର୍ଯ୍ୟାନୁଷ୍ଠାନ ବିରୋଧରେ ଧାରଣାରେ ବସିଛନ୍ତି। ତେଣେ ସିବିଆଇ ଠାରୁ ସୁରକ୍ଷା ଦେବା ଲାଗି ସୋମବାର କଲିକତା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି କୋଲକାତା ପୁଲିସ କମିସନର ରାଜୀବ କୁମାର। ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ରାଜ୍ୟ ପୁଲିସର ଏସ୍‌ଆଇଟିର ମୁଖ୍ୟ ଥିବା ଆଇପିଏସ୍‌ ରାଜୀବ କୁମାର ଅଭିଯୁକ୍ତଙ୍କ ବିରୋଧରେ ଥିବା ପ୍ରମାଣ ନଷ୍ଟ କରିଛନ୍ତି ବୋଲି ସିବିଆଇ କହିଛି।

ସାରଦା ଏବଂ ରୋଜ ଭ୍ୟାଲି ଦୁର୍ନୀତି ମାମଲାରେ କୋଲକାତା ପୁଲିସ୍‌ କମିସନର୍‌ ରାଜୀବ କୁମାରଙ୍କୁ ସିବିଆଇ ପଚରାଉଚରା କରିବାର ଉଦ୍ୟମ ପରେ ରବିବାର ସଂଧ୍ୟାରେ ମମତା ବାନାର୍ଜୀ ଏହାକୁ ବିରୋଧ କରି ‘ଧାରଣା’ରେ ବସିଥିଲେ।

କମିସନର୍‌ ରାଜୀବ କୁମାରଙ୍କ ସମର୍ଥନରେ ମମତା ଗତକାଲିଠାରୁ ‘ଧାରଣା’ରେ ବସିଛନ୍ତି। ଅଧିକାଂଶ ବିପକ୍ଷ ଦଳ ସିିବିଆଇକୁ ବିରୋଧ କରି ମମତା ବାନାର୍ଜୀଙ୍କୁ ତାଙ୍କ ସମର୍ଥନ ଦେଇଛନ୍ତି। ପଶ୍ଚିମବଙ୍ଗ ପୁଲିସ୍‌ ତଦନ୍ତରେ ସହଯୋଗ କରୁନାହିଁ ବୋଲି ସିବିଆଇ ପକ୍ଷରୁ କରାଯାଇ ସୁପ୍ରିମ କୋର୍ଟରେ ମାମଲା ଦାୟର କରାଯାଇଛି, ଯାହାର ଶୁଣାଣି ମଙ୍ଗଳବାର ହେବ। ଅନ୍ୟପକ୍ଷରେ ରାଜ୍ୟ ପୁଲିସ ଓ କେନ୍ଦ୍ର ସରକାରଙ୍କ ତଦନ୍ତ ସଂସ୍ଥା ମୁହାଁମୁହିଁ ହେବା ପରେ ‘ସାମ୍ବିଧାନିକ ସଂକଟ’ ଉପୁଜିବା ପରିସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ବିଜେପି ପକ୍ଷରୁ ଦାବି ହୋଇଛି।

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଅତି ଘନିଷ୍ଠ ଭାବେ ଜଣାଶୁଣା ୧୯୮୯ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ତଥା କୋଲକାତା ପୁଲିସ୍‌ କମିସନର୍‌ ରାଜୀବ କୁମାର ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇର ସନ୍ଦେହ ଘେରରେ ରହିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ ଏହି ମାମଲାର ତଦନ୍ତ କରୁଛି। ପୁଲିସ କମିସନର କୁମାରଙ୍କୁ ସିବିଆଇ ପକ୍ଷରୁ ପଚରାଉଚରା ଲାଗି ବାରମ୍ବାର ସମନ ପରେ ମଧ୍ୟ ସେ ହାଜର ହୋଇ ନଥିଲେ। ଏହାପରେ ରବିବାର ସିବିଆଇର ଏକ ଦଳ କମିସନରଙ୍କ ବାସଭବନକୁ ଯାଇ ତାଙ୍କୁ ପଚରାଉଚରା ବେଳେ ମୁହାଁମୁହିଁ ପରିସ୍ଥିତି ଦେଖା ଯାଇଥିଲା।

ସମ୍ବନ୍ଧିତ ଖବର