ପେଟ୍ରୋଲ ପକାଇ ଫସିଗଲେ: ଏହି ସାମାନ୍ୟ ଭୁଲ ପାଇଁ ହତ୍ୟାକାରୀଙ୍କ ପାଖରେ ପହଞ୍ଚିଗଲା ପୁଲିସ

ନୂଆଦିଲ୍ଲୀ: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ମାମଲାକୁ ନେଇ ପଞ୍ଜାବ ପୁଲିସ ଏକ ନୂଆ ତଥ୍ୟ ଦେଇଛି | ଏପର୍ଯ୍ୟନ୍ତ ପୁଲିସ ଏହି ମାମଲାରେ ସମୁଦାୟ ୧୦ ଅଭିଯୁକ୍ତକୁ ଗିରଫ କରିଛି। ଏହା ସହିତ ପୁଲିସ ଏହି ହତ୍ୟାକାଣ୍ଡ ପାଇଁ ଜେଲରେ ଥିବା ଲରେନ୍ସ ବିଷ୍ଣୋଇ ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କହିଛି | ତେବେ ବଡ କଥା ହେଉଛି ଯେ ଏକ ଛୋଟ ସୁରାକରୁ କିଭଳି ଲରେନ୍ସ ପାଖରେ ପୁଲିସ ପହଞ୍ଚିଥିଲା, ତାହାର ଖୁଲାସା ଏବେ ପୁଲିସ କରିଛି | ପୁଲିସର ସୂଚନା ମୁତାବକ ଘଟଣା ସମୟରେ ମୁସେୱାଲା ଅନ୍ୟ ଦୁଇଜଣଙ୍କ ସହ ତାଙ୍କ ଏସୟୁଭିରେ ଯାତ୍ରା କରୁଥିଲେ। ଏହି ଘଟଣା ପରେ ବହୁ ପୁଲିସ ଟିମ୍ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଖୋଜୁଥିଲେ। ତେବେ ପୁଲିସ ଅନୁସନ୍ଧାନ ବେଳେ ଜଣାପଡିଥିଲା ଯେ ଖାଇଲା ଗାଁରେ ଅବ୍ୟବହୃତ ଅବସ୍ଥାରେ ପାର୍କିଂ ହୋଇଥିବା ଏକ ବୋଲେରୋ ରହିଛି |

ଯେତେବେଳେ ପୁଲିସ୍ ଟିମ୍ ଏହାକୁ ଯାଞ୍ଚ କରିଥିଲେ, ସେମାନେ କାର ଭିତରୁ ଏକ ପେଟ୍ରୋଲ୍ ପମ୍ପ ବିଲ୍ ପାଇଥିଲେ | ପରେ, ଏହି ବିଲ୍ ସାହାଯ୍ୟରେ ପୁଲିସ ସେହି ପେଟ୍ରୋଲ ପମ୍ପକୁ ଖୋଜିଥିଲା ​​| ଯେତେବେଳେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିଲା, ଏହା ଜାଣିବାକୁ ମିଳିଥିଲା ଯେ ଘଟଣା ଘଟିବା ପୂର୍ବରୁ ଅଭିଯୁକ୍ତମାନେ ଏହି ପମ୍ପରୁ ସେମାନଙ୍କ କାରରେ ତେଲ ଭର୍ତ୍ତି କରିଥିଲେ। ଏହା ସହ ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭିରୁ ହତ୍ୟାକାରୀଙ୍କୁ ଦେଖିବାକୁ ମିଳିଥିଲା | କେବଳ ଏହି ଗୋଟିଏ ସୁରାକ ସାହାଯ୍ୟରେ ପୁଲିସ ଅପରାଧୀଙ୍କ ବାବଦରେ ଜାଣିପାରିଥିଲା |‌

ଉଲ୍ଲେଖଯୋଗ୍ୟ, ମେ’ ୨୮ରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ ପଞ୍ଜାବ ସରକାର। ୪୨୪ ଜଣ ଭିଆଇପି ସୁରକ୍ଷା ଆବଶ୍ୟକ କରନ୍ତି କି ନାହିଁ ତାହା ଉପରେ ଆଲୋଚନା କରି ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିଥିଲେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍। ଏହି ନିଷ୍ପତ୍ତି ନେବାର ଗୋଟିଏ ଦିନ ପରେ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର