ମାମଲା ରୁଜୁ କଲାନି ପୁଲିସ: ନିଜ ଦେହରେ ନିଆଁ ଲଗାଇଦେଲେ ଗଣଦୁଷ୍କର୍ମ ପୀଡ଼ିତା

ମିରଟ: ଉତ୍ତର ପ୍ରଦେଶରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳାଙ୍କ ବାପା ତାଙ୍କୁ ୧୦ ହଜାର ଟଙ୍କାରେ ବିକିଦେବା ପରେ ସମ୍ପୃକ୍ତ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ତେବେ ଅଭିଯୋଗ କରିବା ପରେ ମଧ୍ୟ ପୁଲିସ ମାମଲା ରୁଜୁ ନକରିବାରୁ ପୀଡିତା ନିଜ ଦେହରେ ନିଆଁ ଲଗାଇ ନିଜକୁ ଜାଳିଦେଇଛନ୍ତି। ପଶ୍ଚିମ ଉତ୍ତର ପ୍ରଦେଶର ହାପୁର ଅଂଚଳର ଉକ୍ତ ମହିଳାଙ୍କୁ ବର୍ତ୍ତମାନ ଦିଲ୍ଲୀର ଗୋଟିଏ ଘରୋଇ ହସ୍‌ପିଟାଲରେ ଚିକିତ୍ସା କରାଯାଉଛି। ନିଆଁରେ ତାଙ୍କ ଶରୀର ୮୦ ପ୍ରତିଶତ ପୋଡିଯାଇଥିବା ବେଳେ ସେ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି। ଏହି ମାମଲାରେ ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ବାତି ମଲିୱାଲ୍‌ ହସ୍ତକ୍ଷେପ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିବା ପରେ ୧୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଉକ୍ତ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ବାପା ତାଙ୍କୁ ୧୦,୦୦୦ ଟଙ୍କାରେ ବିକ୍ରି କରିଦେଇଥିଲେ। ମହିଳାଙ୍କୁ କ୍ରୟ କରିଥିବା ବ୍ୟକ୍ତି ଜଣକ ବିଭିନ୍ନ ଲୋକଙ୍କ ଠାରୁ ଧାର ନେଇଥିବାରୁ ଉକ୍ତ ମହିଳାଙ୍କୁ ଧାର ଦେଇଥିବା ଲୋକଙ୍କ ଘରେ ଚାକରାଣୀ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲେ। ତେବେ ସମ୍ପୃକ୍ତ ଧାରଦାତାଙ୍କ ଦ୍ୱାରା ବିଧବା ମହିଳା ଜଣକ ନିର୍ଯାତିତ ହେବା ସହ ବାରମ୍ବାର ଦୁଷ୍କର୍ମର ଶିକାର ହୋଇଥିଲେ। ପୀଡିତା ମହିଳା ଅଭିଯୋଗ କରିଛନ୍ତି ଯେ, ସେ ଏନେଇ ବାବୁଗଡ ପୁଲିସ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ମାମଲା ରୁଜୁ ହୋଇନଥିଲା। ଏହା ପରେ ସେ ହାପୁର ଏସ୍‌ପି ଜସବୀର ସିଂହଙ୍କୁ ଜଣାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବା ଦୂରର କଥା ମାମଲା ମଧ୍ୟ ରୁଜୁ ହେଲା ନାହିଁ। ଏଥିରେ ବ୍ୟଥିତ ହୋଇ ମହିଳା ଜଣକ ଶେଷରେ ଏପ୍ରିଲ ୨୮ରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।

ସମ୍ବନ୍ଧିତ ଖବର