ପୁଲିସ-ଚାଷୀ ସଂଗଠନ ବୈଠକ ବିଫଳ: ଚାଷୀ ସଂଗଠନକୁ ଟ୍ରାକ୍ଟର ରୢାଲି ଅନୁମତି ମିଳିଲାନି

ନୂଆଦିଲ୍ଲୀ, ୨୧/୧: ନୂଆ କୃଷି ଆଇନକୁ ବିରୋଧ କରି ୪୦ଟି ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି ଏବଂ ସମସ୍ତଙ୍କ ନଜର ଜାନୁଆରି ୨୬ରେ ଚାଷୀମାନଙ୍କର ପ୍ରସ୍ତାବିତ ଟ୍ରାକ୍ଟର ରୢାଲି ଉପରେ ରହିଛି। ଏ ବାବଦରେ ଆଜି ଦିଲ୍ଲୀ ପୁଲିସ ଏବଂ ଚାଷୀ ସଂଗଠନ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ୨୬ ଜାନୁଆରିରେ ବଡ଼ ଧରଣର ଟ୍ରାକ୍ଟର ରୢାଲି ପାଇଁ ଚାଷୀମାନଙ୍କୁ ଅନୁମତି ମିଳିବ ନାହିଁ ବୋଲି ପୁଲିସ ସ୍ପଷ୍ଟ କରିଛି। ତେବେ ଚାଷୀମାନେ ଟ୍ରାକ୍ଟର ରୢାଲି ବାହାର କରିବାକୁ ଜିଦ୍‌ରେ ଅଟଳ ରହିବା ସହ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଆମର ଗଣତାନ୍ତ୍ରିକ ଏବଂ ସାମ୍ବିଧାନିକ ଅଧିକାର ଉପରେ ପ୍ରତିବନ୍ଧକ ଲଗାଯାଇ ପାରିବ ନାହିଁ ବୋଲି ଚାଷୀ ନେତାମାନେ କହିଛନ୍ତି। ଆଜି ସନ୍ଧ୍ୟାରେ ଏ ବାବଦରେ ସିଂଘୁ ସୀମାରେ କୃଷକ ସଂଗଠନର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ତେବେ ରଣନୀତି ନେଇ କୌଣସି ଆନୁଷ୍ଠାନିକ ବୟାନ ଜାରି ହେବନାହିଁ ବୋଲି କୁହାଯାଇଛି। କୃଷକଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସରକାର ଚାଷୀମାନଙ୍କୁ ବିଭ୍ରାନ୍ତ କରିବା ଏବଂ ସେମାନଙ୍କ ଉପରେ ଅତ୍ୟାଚାର ବନ୍ଦ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ତୁରନ୍ତ ନୂଆ କୃଷି ଆଇନ ପ୍ରତ୍ୟାହାର କରାଯିବାକୁ ରାହୁଲ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର