ଗର୍ଭବତୀଙ୍କୁ କାନ୍ଧରେ ନେଇ ହସ୍ପିଟାଲ୍‌ ଗଲେ ପୁଲିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଜଣେ ପୁଲିସ ଅଧିକାରୀ ଆଜି ଜଣେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ହସ୍ପିଟାଲ୍‌ରେ ପହଞ୍ଚାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମଥୁରାରେ ଜଣେ ଗର୍ଭବତୀ ମହିଳା ପ୍ରସୂତି ଯନ୍ତ୍ରଣା ଭୋଗୁଥିବା ବେଳେ ଠିକ୍‌ ସମୟରେ ଆମ୍ବୁଲାନ୍ସ ମିଳିନଥିଲା। ସେଠାରେ କୌଣସି ଗାଡ଼ି ମଧ୍ୟ ଦେଖିବାକୁ ମିଳିନଥିଲା। ଶେଷରେ ଜଣେ ପୁଲିସ୍‌ ତାଙ୍କୁ ନିଜ କାନ୍ଧରେ ଟେକି ଟେକି ହସ୍ପିଟାଲ୍‌ ନେଇଥିଲେ। ହସ୍ତିଟାଲ୍‌ରେ ସେ ଜଣେ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ। ଘଟଣାଟି ମଥୁରାର କ୍ୟାଣ୍ଟନମେଣ୍ଟ୍‌ ଅଞ୍ଚଳରେ ଘଟିଛି। ଭାବନା ନାମ୍ନୀ ଜଣେ ମହିଳା ପ୍ରସୂତି ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ତାଙ୍କ ସ୍ୱାମୀ ସାହାଯ୍ୟ ପାଇଁ ଇତସ୍ତତଃ ଧାଇଁଥିଲେ। ଏହି ସମୟରେ ଏସ୍‌ଏଚ୍‌ଓ ସୋନୁ ରାଜୌରା ସେମାନଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ପ୍ରଥମେ ସେ ଆମ୍ବୁଲାନ୍ସ ଡାକିବାକୁ ଯାଇଥିଲେ। କିନ୍ତୁ ଆମ୍ବୁଲାନ୍ସ ନମିଳିବାରୁ ସେ ରିକ୍ସା କରି ମହିଳାଙ୍କୁ ଜିଲ୍ଲା ହସ୍ପିଟାଲ୍‌ ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମ୍ୟାଟରନିଟି ହସ୍ପିଟାଲ୍‌କୁ ପଠାଇ ଦେଇଥିଲେ। ଷ୍ଟ୍ରେଚର୍‌ ନମିଳିବାରୁ ପୁଲିସ ଜଣଙ୍କ ମହିଳାଙ୍କୁ ହାତରେ ଟେକି ଟେକି ନେଇ ହସ୍ପିଟାଲ୍‌ ଯାଇଥିଲେ। ସେଠାରେ ଭାବନା ଜଣେ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି।

ସମ୍ବନ୍ଧିତ ଖବର