ଅହମଦାବାଦ: ଘର ଦାଣ୍ଡ ଦେଇ ରଥ ଯିବ ବୋଲି ନିଜ ପତ୍ନୀଙ୍କ ଅନ୍ତିମ ସଂସ୍କାର ଅଟକାଇଦେଲେ ମୁସଲମାନ ବ୍ୟକ୍ତି | ଭକ୍ତି ଓ ଭାଇଚାରାର ଏଭଳି ଏକ ଅପୂର୍ବ ନିଦର୍ଶନ ଗୁଜୁରାଟର ଅହମଦାବାଦରେ ଦେଖିବାକୁ ମିଳିଛି |
ବାସ୍ତବରେ ଗୁଜୁରାଟର ଅହମଦାବାଦରେ ଗତ ୧୪୫ ବର୍ଷ ଧରି ଚାଲିଆସୁଥିବା ମହାପ୍ରଭୁଙ୍କ ରଥଯାତ୍ରାର ସଫଳ ରୂପାୟନ ପାଇଁ ପୁଲିସ ମାସ ମାସ ଧରି କଠିନ ପରିଶ୍ରମ କରିଥିଲା। ସହରର ୧୪୬ତମ ରଥଯାତ୍ରା ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଏବଂ ଉତ୍ସାହରେ ସମ୍ପୂର୍ଣ୍ଣ ହୋଇଥିବାବେଳେ ସମସ୍ତ ଧର୍ମର ଲୋକଙ୍କ ସହଯୋଗ ରଥଯାତ୍ରାରେ ଦେଖିବାକୁ ମିଳିଛି | କିନ୍ତୁ ଅହମଦାବାଦର ଶାହାପୁର ଅଞ୍ଚଳରେ ରହୁଥିବା ସଲିମ ଶେଖ ନାମକ ବ୍ୟକ୍ତି ରଥଯାତ୍ରା ସମୟରେ ଏଭଳି କିଛି କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ଆଉ ଏବେ ଅହମଦାବାଦ ପୁଲିସ ସଲିମ ଶେଖଙ୍କୁ ତାଙ୍କ ସହଯୋଗ ପାଇଁ ସମ୍ମାନିତ କରିଛି। ଶାହପୁର ଅଂଚଳରେ ରହୁଥିବା ସଲିମ ଶେଖଙ୍କ ପତ୍ନୀଙ୍କର ରଥଯାତ୍ରା ଦିନ ମୃତ୍ୟୁ ହୋଇଥିଲା | ତେବେ ରଥଯାତ୍ରା ତାଙ୍କ ଘର ପାଖରୁ ଆରମ୍ଭ ହେବାକୁ ଯାଉଥିଲା |
ପତ୍ନୀଙ୍କ ମୃତ୍ୟୁ ପରେ ସଲିମ ଶେଖ ସିଧାସଳଖ ପୁଲିସ ପାଖରେ ପହଞ୍ଚି ପୁଲିସକୁ କହିଥିଲେ ଯେ ପତ୍ନୀଙ୍କ ମୃତଦେହକୁ କବର ଦେବାକୁ ନେବାକୁ ପଡିବ। ପୁଲିସ ସଲିମ ଶେଖଙ୍କୁ ପଚାରିଥିଲା-‘‘ତାଙ୍କୁ କେତେବେଳେ କବର ଦେବାକୁ ନେବେ?’’ ସଲିମ ଶେଖ ଉତ୍ତରରେ କହିଥିଲେ- ‘‘ଆଜି ହେଉଛି ମହାପ୍ରଭୁଙ୍କ ରଥଯାତ୍ରାର ମହାପର୍ବ। ତାଙ୍କ ଘର ସାମ୍ନା ଦେଇ ରଥ ଯିବ | ତେଣୁ ରଥ ଯିବା ପରେ ହିଁ ତାଙ୍କ ପତ୍ନୀଙ୍କୁ କବର ଦେବା ପାଇଁ ଶ୍ମଶାନକୁ(କବରିସ୍ତାନ) ନେବେ |’’
ଅହମଦାବାଦର ଜମାଲପୁର ମନ୍ଦିରରୁ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ତାଙ୍କ ଘର ଦେଇ ଯିବା ପର୍ଯ୍ୟନ୍ତ ଏବଂ ଭକ୍ତ ରଥକୁ ଟାଣି ଟାଣି ନେବା ପର୍ଯ୍ୟନ୍ତ (ପ୍ରାୟ ୫ ଘଣ୍ଟା) ସେ ତାଙ୍କ ପତ୍ନୀଙ୍କ ମୃତଦେହକୁ ତାଙ୍କ ଘରେ ରଖିଥିଲେ। ଏହା ପରେ ସେ ତାଙ୍କ ପତ୍ନୀଙ୍କୁ କବର ଦେବା ପାଇଁ ପରିବାର ଏବଂ ଘନିଷ୍ଠ ଲୋକଙ୍କ ସହିତ କବରିସ୍ତାନକୁ ଯାଇଥିଲେ | ଏପରି ଏକ ମହାନ କାର୍ଯ୍ୟ ଲାଗି ଅହମଦାବାଦ ପୁଲିସ ସଲିମ ଶେଖଙ୍କୁ ସମ୍ମାନିତ କରିଛି, ଯିଏକି ରଥଯାତ୍ରା ସମୟରେ ଭାଇଚାରାର ବିରଳ ଉଦାହରଣ ସୃଷ୍ଟି କରିଥିଲେ।