ଶିକ୍ଷକ ସାଜି ପିଲାମାନଙ୍କୁ ପାଠ ପଢାଇଲେ ଥାନା ବାବୁ

ରାଞ୍ଚି: ଖାକି ବର୍ଦ୍ଦି ପିନ୍ଧି ଥାନାରେ ଡ୍ୟୁଟି କରୁଥିବା ପୁଲିସ ବାବୁଙ୍କୁ ଆପଣ ଦେଖିଥିବେ | ଆଇନଶୃଙ୍ଖଳା ବଜାୟ ସହ କୌଣସି ସ୍ଥାନରେ ଶାନ୍ତି ପରିସ୍ଥିତି ବଜାୟ ରଖିବାକୁ ଦିନରାତି ପରିଶ୍ରମ କରୁଥିବା ପୁଲିସ ବାବୁଙ୍କ ବାବଦରେ ଅଳ୍ପ ବହୁତେ ଜାଣିଥିବେ | କିନ୍ତୁ ଝାଡ଼ଖଣ୍ଡରେ ଏମିତି ଜଣେ ପୁଲିସ ବାବୁ ଅଛନ୍ତି ଯିଏ କି ନିଜର ଦାୟିତ୍ୱ ନିର୍ବାହ କରିବା ପରେ ଅତିରିକ୍ତ ସମୟ ଦେଇ ଆଉ ଏକ ଗୁରୁ ଦାୟିତ୍ୱ ଏବେ ମୁଣ୍ଡାଇଛନ୍ତି | ଏହି ପୁଲିସ ବାବୁ ଜଣକ ଥାନାରେ ଡ୍ୟୁଟି କରିବା ପରେ ଏକ ବିଦ୍ୟାଳୟକୁ ଯାଇ ପିଲାମାନଙ୍କୁ ପାଠ ମଧ୍ୟ ପଢ଼ାଉଛନ୍ତି | ଲକଡାଉନ ପରେ, ଯେତେବେଳେ ଝାଡ଼ଖଣ୍ଡର ଧାନବାଦରେ ବିଦ୍ୟାଳୟ ଖୋଲିଥିଲା, ସେତେବେଳେ ଏକ ଦୃଶ୍ୟ ଛାତ୍ରୀମାନଙ୍କୁ ଆଚମ୍ବିତ କରିଥିଲା |

Photo-AAJtak

ଧାନବାଦର ମୋଦିଡିହ ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ଥାନୀୟ ଥାନା ଅଧିକାରୀ ପଙ୍କଜ ବର୍ମା ପାଠ ପଢ଼ାଉଥିଲେ | ଖାକି ବର୍ଦ୍ଦି ପିନ୍ଧି ପଙ୍କଜ ନିଜ ଡ୍ୟୁଟି ସାରି ବିଦ୍ୟାଳୟକୁ ଯାଆନ୍ତି ଓ ପିଲାମାନଙ୍କୁ ପାଠ ପଢ଼ାନ୍ତି | ପଙ୍କଜ ପିଲାମାନଙ୍କୁ ଗଣିତ ପଢାଉଥିବାବେଳେ ଜଟିଳ ଅଙ୍କର ସରଳ ସମୀକରଣ ବତାଇ ଦିଅନ୍ତି | ବିଦ୍ୟାଳୟର ପ୍ରଧାନଶିକ୍ଷକ ସତୀଶ ସିଂ କହିଛନ୍ତି ଯେ ପୁଲିସ ଷ୍ଟେସନ ଦାୟିତ୍ୱରେ ଥିବା ପଙ୍କଜ ବର୍ମା ତାଙ୍କ ନିକଟକୁ ଆସି ଦଶମ ଶ୍ରେଣୀର ପିଲାମାନଙ୍କୁ ଗଣିତ ପଢ଼ାଇବାକୁ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ଆଉ ଏଥିପାଇଁ ସମ୍ମତି ପାଇବା ପରେ ଥାନାଧିକାରୀ ବିଦ୍ୟାଳୟରେ ପହଞ୍ଚି ଛାତ୍ରୀମାନଙ୍କୁ ଶିକ୍ଷା ଦେବା ଆରମ୍ଭ କରିଥିଲେ। ଏହାକୁ ନେଇ ପଙ୍କଜ ବର୍ମା କହିଛନ୍ତି ଯେ ପିଲାମାନଙ୍କୁ ପଢ଼ାଇବାକୁ ତାଙ୍କୁ ଭଲ ଲାଗେ, ପୁଲିସରେ ଯୋଗ ଦେବା ପୂର୍ବରୁ ତାଙ୍କର ଏକ କୋଚିଂ ସେଣ୍ଟର ଥିଲା | ଯେଭଳି କେହି ଅଶିକ୍ଷିତ ନ ରୁହନ୍ତି ତାହା ତାଙ୍କର ସବୁବେଳେ ଇଚ୍ଛା ଥିବାରୁ ସେ ପିଲାମାନଙ୍କୁ ପଢ଼ାଇବାକୁ ଏଠାକୁ ନିୟମିତ ଆସୁଛନ୍ତି |

ସମ୍ବନ୍ଧିତ ଖବର