ମତେ ଖଳନାୟକ ସଜାଇବା ପାଇଁ ପୁଲିସ ତଦନ୍ତ ଆଳ: ସଚିନ୍‌

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ପୁଲିସ ତଦନ୍ତ ଆଳ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କୁ କ୍ଷୁବ୍ଧ କରିଛି। ରାଜସ୍ଥାନ ସରକାରଙ୍କୁ ଭାଙ୍ଗିବା ଲାଗି ବିଜେପି ମସୁଧା ଚଳାଇଥିବା ଅଭିଯୋଗର ପୁଲିସ ତଦନ୍ତରେ ସହଯୋଗ କରିବା ଲାଗି ତାଙ୍କୁ ଆମନ୍ତ୍ରଣ କରିବାର ଅର୍ଥ ରାଜ୍ୟରେ ଦେଖାଦେଇଥିବା ରାଜନୈତିକ ସଂକଟରେ ସେ ପରୋକ୍ଷରେ ଜଡ଼ିତ ଥିବା ସନ୍ଦେହ। ସରକାରଙ୍କ ଏପରି ପଦକ୍ଷେପ ତାଙ୍କୁ ଏକଘରକିଆ କରାଯିବା ସଙ୍ଗେ ସମାନ ବୋଲି ସଚିନ୍‌ ଭାବୁଛନ୍ତି। ମୁଖ୍ୟମନ୍ତ୍ରୀତ୍ବ ପାଇଁ ଦାବିଦାର ଥିବା ଶ୍ରୀ ପାଇଲଟ୍ ଦଳୀୟ ବାଧ୍ୟବାଧକତାକୁ ସମ୍ଭାଳି ନେଇଥିଲେ ହେଁ ସ୍ବତନ୍ତ୍ର କାର୍ଯ୍ୟକାରୀ ଗୋଷ୍ଠୀ (ଏସ୍‌ଓଜି)ର କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ଅଛନ୍ତି। କାରଣ ଉକ୍ତ ଗୋଷ୍ଠୀ ଅନ୍ୟମାନଙ୍କର ଫୋନ୍‌ ଟ୍ୟାପ୍ କରିବା ଠାରୁ ଆରମ୍ଭ କରି ସମସ୍ତଙ୍କ ଗତିବିଧି ଉପରେ ମଧ୍ୟ ନିରୀକ୍ଷଣ ରଖୁଛନ୍ତି। ତେବେ ସେମାନଙ୍କୁ ଏପରି ନିଶାଣ କରିବା ବେଶୀ ଦିନ ତିଷ୍ଠିବନି ବୋଲି ସଚିନ୍‌ଙ୍କ ଶିବିର ଅନୁଭବ କରୁଛି। କର୍ଣ୍ଣାଟକ ଅବା ମଧ୍ୟପ୍ରଦେଶ ପରି କଂଗ୍ରେସରେ ବିଭାଜନ ଆଣି ରାଜସ୍ଥାନରେ ମଧ୍ୟ ଅନୁରୂପ ବିଜେପିର କ୍ଷମତା ହାସଲ ସମ୍ଭାବନାକୁ ଶ୍ରୀ ପାଇଲଟ୍ ଖଣ୍ଡନ କରିବା ସହ ରାଜ୍ୟରେ କଂଗ୍ରେସ ହାତକୁ ଶାସନ ଆଣିବା ଲାଗି ସେ ପୂର୍ଣ୍ଣ ପ୍ରାଣରେ ଲଢ଼ିଛନ୍ତି ବୋଲି କହିଛନ୍ତି।

କଂଗ୍ରେସ ବିଧାୟକମାନଙ୍କୁ ପ୍ରଲୋଭିତ କରାଯାଉଥିବା ଅଭିଯୋଗରେ ନିଜର ବକ୍ତବ୍ୟ ରଖିବାକୁ ସଚିନ୍‌ଙ୍କୁ ଦଳର ଏସ୍‌ଓଜି ଚିଠି କରିବା ଘଟଣା ତାଙ୍କ ପାଇଁ ଅସ୍ବସ୍ତିକର ହୋଇଛି। ତେବେ ତାଙ୍କ ସମର୍ଥକ ବିଧାୟକ ଅଶୋକ ସିଂହ ଚୌହାନ ଓ ଭାରତ ମାଲାନି କୁଆଡ଼େ ସଚିନ୍‌ ଓ ଗେହଲଟ୍‌ଙ୍କ ଭିତରେ ଟଣାଓଟରା ଚାଲିଛି ବୋଲି କହିଥିବା ସମ୍ପର୍କରେ ଏସ୍‌ଓଜି ଏତଲାରେ ଦର୍ଶାଯିବା ପରେ ପରିସ୍ଥିତି ଆହୁରି ସଂଗିନ ହୋଇପଡ଼ିଥିଲା। ଏହି ମାମଲାରେ ପୁଲିସ ସାମିଲ ହେବା ଏବଂ ଜୟପୁର ଠାରେ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଗେହଲଟ୍ ଖୋଲାଖୋଲି ଭାବେ ସଚିନ୍ ଏଥିରେ ସଂପୃକ୍ତ ଥିବା ସମ୍ପର୍କରେ ମନ୍ତବ୍ୟ ଦେବା ଘଟଣାକୁ ଆହୁରି ଜଟିଳ କରିଦେଇଛି। ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଏପରି ଖଳନାୟକର ଚିତ୍ରଣ କରି ଅପମାନିତ କରାଯାଉଛି ବୋଲି ସଚିନ୍‌ କ୍ଷୋଭ ପ୍ରକାଶ କରିଛନ୍ତି। ଏଣେ ପ୍ରଦେଶ କଂଗ୍ରେସ ମୁଖ୍ୟ ପଦବି ଛାଡ଼ିବା ପାଇଁ ଗେହଲଟ୍‌ଙ୍କ ଶିବିର ଦାବି କରୁଥିବା ବେଳେ ସଚିନ୍‌ ତାହାକୁ ଭ୍ରୂକ୍ଷେପ କରୁନାହାନ୍ତି।

ସମ୍ବନ୍ଧିତ ଖବର