ଆସାମରେ ପୁଲିସ-ଜନତା ସଂଘର୍ଷ: ଗୁଳିମାଡ଼ରେ ୩ ମୃତ, ୯ ପୁଲିସ କର୍ମୀଙ୍କ ସମେତ ୫୦ ଆହତ

ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ଗୌହାଟୀ : ଆସାମରେ ଆଜି ଏକ ଜବରଦଖଲ ଉଚ୍ଛେଦ ଅଭିଯାନ ସମୟରେ ପୁଲିସ ଏବଂ ସ୍ଥାନୀୟ ଜନତାଙ୍କ ମଧ୍ୟରେ ବଡ଼ ଧରଣର ସଂଘର୍ଷ ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ପୁଲିସ କର୍ମୀଙ୍କ ସମେତ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆସାମର ଡରଙ୍ଗ ଜିଲ୍ଲା ଅଧୀନସ୍ଥ ଗୋରୁଖୁଟି ଅଞ୍ଚଳ ସ୍ଥିତ ଢୋଲପୁରରେ ଏକ ସରକାରୀ କୃଷି ପକଳ୍ପ ପାଇଁ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ଜୋର୍‌ଦାର ବିରୋଧ କରିଥିଲେ। ପୁଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରାୟ ୧ ହଜାରରୁ ଅଧିକ ପ୍ରତିବାଦକାରୀ ପ୍ରଶାସନ ସ୍ବର ଉତ୍ତୋଳନ କରିଥିଲେ।ଏହାପରେ ଲୋକଙ୍କ ବିରୋଧ ହିଂସାତ୍ମକ ମୋଡ଼ ନେଇଥିଲା ଏବଂ ଲୋକେ ପୁଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ। ପୁଲିସର ଲାଠି ଚାଳନାକୁ ଭୃକ୍ଷେପ ନକରି ଲୋକେ ଆକ୍ରମଣ ଜାରି ରଖିବାରୁ ପୁଲିସ ଗୁଳିଚାଳନା କରିଥିଲା ଏବଂ ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି, ପୁଲିସକୁ ଜବରଦଖଲକାରୀଙ୍କୁ ଘଉଡ଼ାଇବା ଦାୟିତ୍ବ ଦିଆଯାଇଥିଲା ଏବଂ ସେମାନେ କାର୍ଯ୍ୟ ସମ୍ପାଦନ କରୁଥିବାବେଳେ ଜବରଦଖଲକାରୀ ଓ ସେମାନଙ୍କ ସମର୍ଥକ ପଥର ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୁଲିସ ଗୁଳି ଚାଳନା କରିଥିଲା ଏବଂ ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଜବରଦଖଲ ବିରୋଧୀ ଅଭିଯାନ ଏବେ ବି ଜାରି ରହିଛି ବୋଲି ସେ କହିଛନ୍ତି। ଗତ ସୋମବାରଠାରୁ ଢୋଲପୁର‌ରେ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି।

ଉଲ୍ଲେଖଯୋଗ୍ୟ, ଆସାମ କ୍ୟାବିନେଟ୍‌ ନିକଟରେ ଜବରଦଖଲକାରୀଙ୍କଠାରୁ ଜମି ମୁକ୍ତ କରି ଏହାକୁ ଏକ କୃଷି ପ୍ରକଳ୍ପ ପାଇଁ ଦେବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପୁଲିସ ସ୍ଥାନୀୟ ଲୋକଙ୍କ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତା’ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନିରୀହ ଲୋକଙ୍କ ପ୍ରତି ପୁଲିସ ଯେଭଳି ବ୍ୟବହାର ପ୍ରଦର୍ଶନ କରିଛି ତାକୁ ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଇଛି। ଗୁଳିମାଡ଼ ଘଟଣାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଆସାମ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭୂପେନ କୁମାର ବୋରା ଅତ୍ୟନ୍ତ ଅମାନବୀୟ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର