ମୁମ୍ବାଇ: ବିଭିନ୍ନ ଘଟଣାକ୍ରମରେ ପୋଲିସ୍ ଯେତେବେଳେ ଜଣେ ନାବାଳିକା ଗର୍ଭବତୀକୁ ଉଦ୍ଧାର କରୁଛି, ବା ନାବାଳିକାଟିର ଡାକ୍ତରୀ ମଇନା ପରେ ପୋଲିସ୍ ଯେତେବେଳେ ଜାଣୁଛି ସେ ଗର୍ଭବତୀ ଅଛି; ସେତେବେଳେ ସଂପୃକ୍ତା ନାବାଳିକା ଗର୍ଭବତୀ ସହ ପୋଲିସ୍ କ’ଣ, କିପରି ଆଚରଣ ପ୍ରଦର୍ଶନ କରିବ ଓ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ସେ ସଂପର୍କରେ ସରକାରୀ ସ୍ତରରେ ବିଧିବଦ୍ଧ ‘ଗାଇଡ୍ଲାଇନ୍’ ପ୍ରଣୟନ କରିବାର ଆବଶ୍ୟକତା ରହିଛି ବୋଲି ବମ୍ବେ ହାଇକୋର୍ଟ ମତ ଦେଇଛନ୍ତି।
ମୁମ୍ବାଇ ପୋଲିସ୍ ଦ୍ୱାରା ଉଦ୍ଧାର ହୋଇଥିବା କଲ୍ୟାଣ ଅଞ୍ଚଳର ଜନୈକା ୧୪ ବର୍ଷୀୟା ଦୁଷ୍କର୍ମ ପୀଡ଼ିତା ଗର୍ଭବତୀ ନାବାଳିକା ୨୪ ସପ୍ତାହର ଗର୍ଭଧାରଣ ପରେ ଗର୍ଭପାତ ପାଇଁ ବମ୍ବେ ହାଇକୋର୍ଟରେ କରିଥିବା ଏକ ଆବେଦନର ଶୁଣାଣି କରି ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ନରେଶ ପାଟିଲ ଓ ଜଷ୍ଟିସ୍ ଅନୁଜା ପ୍ରଭୁଦେଶାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।
/sambad/media/post_attachments/wp-content/uploads/2018/04/Pregnant-minor--300x158.jpg)
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ମୁମ୍ବାଇ ପୋଲିସ୍ ଉତ୍ତର ପ୍ରଦେଶର ଜାନ୍ପୁରରୁ ସଂପୃକ୍ତା ୧୪ ବର୍ଷ ବୟସ୍କା ନାବାଳିକାଙ୍କୁ ଉଦ୍ଧାର କରି ୨୦୧୮ ମାର୍ଚ୍ଚ ୧୭ ତାରିଖରେ କଲ୍ୟାଣ ଆଣିଥିଲେ। ସେହିଦିନ ମୁମ୍ବାଇ ପୋଲିସ୍ ଉଲ୍ଲାସନଗର ସେଣ୍ଟ୍ରାଲ ହସ୍ପିଟାଲରେ ସଂପୃକ୍ତା ନାବାଳିକାଙ୍କର ଡାକ୍ତରୀ ମଇନା କରାଇଥିଲେ। ଡାକ୍ତରୀ ମଇନା କାଳରେ ନାବାଳିକା ଜଣକ ଗର୍ଭବତୀ ଥିବା ଜଣାପଡ଼ିଥିଲା। ତେବେ, ନାବାଳିକା ଜଣକ ଗର୍ଭବତୀ ଥିବା ଜାଣିବା ସତ୍ତ୍ୱେ ମଧ୍ୟ ପୋଲିସ୍ କର୍ତ୍ତୃପକ୍ଷ ନାବାଳିକାଙ୍କ ଗର୍ଭଧାରଣ ସଂପର୍କରେ କାହାରିକି କିଛି ହେଲେ ଜଣାଇ ନଥିଲେ; ଏପରିକି ନାବାଳିକାଙ୍କ ପରିବାର ବର୍ଗଙ୍କୁ ଏସଂପର୍କରେ କିଛି ବି ହେଲେ ସୂଚନା ପ୍ରଦାନ କରି ନଥିଲେ। ଫଳରେ ଗର୍ଭଧାଣର ୨୦ ସପ୍ତାହ ମଧ୍ୟରେ ଆବଶ୍ୟକତା ସ୍ଥଳେ ଏବଂ ଅନୁମତି ଆଧାରରେ ଗର୍ଭପାତ କରାଯାଇ ପାରିବ ବୋଲି ଯେଉଁ ସମୟ ସୀମା ରହିଛି ତାହା ଅତିକ୍ରାନ୍ତ ହୋଇଯାଇଥିଲା। ନାବାଳିକାଟିର ପରିବାର ବର୍ଗ ତା’ର ଗର୍ଭଧାରଣ ବାବଦରେ ଜାଣିବା ବେଳକୁ ୨୪ ସପ୍ତାହ ହୋଇ ସାରିଥିଲା। ଗର୍ଭଧାରଣର ୨୪ ସପ୍ତାହ ପରେ ଗର୍ଭପାତ ନିରାପଦ ନଥିବା ଏବଂ ଆଇନ୍ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ ହୋଇଥିବା କାରଣରୁ ଏବେ ଆଉ କୌଣସି ଡାକ୍ତର ନାବାଳିକାଟିର ଗର୍ଭପାତ କରିବା ପାଇଁ ରାଜି ହେଉନାହାନ୍ତି। ଏପରିସ୍ଥିତିରେ ଗର୍ଭପାତ କରାଇବାକୁ ନିର୍ଦ୍ଦେଶ ଦେବାକୁ ଆବେଦନ କରି ନାବାଳିକା ଜଣକ ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/Pregnant-minor-1.jpg)