ଗାଡି ପିଟିଦେଲେ ପୋଲିସ ବାବୁ, ୧୦ ଫୁଟ ଦୂରକୁ ଛିଟିକି ପଡିଲେ ଯୁବତୀ: ଭିଡ଼ିଓ ହେଲା ଭାଇରାଲ

ଚଣ୍ଡୀଗଡ଼: ପଞ୍ଜାବର ଜଳନ୍ଧରରେ ସୋମବାର ସକାଳେ ଏକ ଭୟଙ୍କର ଦୁର୍ଘଟଣା ହୋଇଛି । ରାସ୍ତା ପାର ହେବାକୁ ଯାଉଥିବା ଦୁଇ ଯୁବତୀଙ୍କୁ ଏକ ଦ୍ରୁତଗାମୀ କାର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଯାହାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯୁବତୀଙ୍କୁ ଧକ୍କା ମାରିଥିବା ଗାଡିର ଚାଳକ ଜଣକ ହେଉଛନ୍ତି ପଞ୍ଜାବ ପୋଲିସରେ ସବ-ଇନସପେକ୍ଟର । ଯାହାଙ୍କୁ ସିସିଟିଭି ଫୁଟେଜ ଆଧାରରେ ଗିରଫ କରାଯାଇଛି ।

ସୋମବାର ସକାଳେ ଜଳନ୍ଧର-ଫଗବାଡା ହାଇୱେରେ ଏଭଳି ଭୟଙ୍କର ଦୁର୍ଘଟଣା ହୋଇଛି । ସକାଳ ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ଦୁଇଜଣ ଯୁବତୀ ରାସ୍ତା ପାର କରିବାକୁ ଅପେକ୍ଷା କରିଥିଲେ । ରାସ୍ତାରେ ଗାଡି ଯିବା ଆସିବା କରୁଥିବାରୁ ଦୁଇ ଯୁବତୀ ଫାଙ୍କା ରାସ୍ତାକୁ ଅପେକ୍ଷା କରିଥିଲେ । ତେବେ ଏହି ସମୟରେ ଦ୍ରୁତ ଗତିରେ ଏକ କାର ଆସି ଉଭୟଙ୍କୁ ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ ଦୁଇ ଯୁବତୀ ୧୦ରୁ ୧୫ ଫୁଟ ଉପରକୁ ଉଡି ଯାଇଥିଲେ । ଦ୍ରୁତ କାରଟି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ସିସିଟିଭି ଆଧାରରେ କାର ଚାଳକ ଜଣକ ପଞ୍ଜାବ ପୋଲିସର ସବ ଇନସପେକ୍ଟର ବୋଲି ଜଣାପଡିଥିଲା । ଯାହାଙ୍କୁ ଗିରଫ କରାଯାଇଛି ।

ଅନ୍ୟପଟେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିବା ସହ ଗାଡି ଧକ୍କା ଦେଇଥିବା ଚାଳକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଦାବି କରିଥିଲେ । ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଏସପି ବଲବିନ୍ଦର ଇକବାଲ ସିଂ କାହଲୋ କହିଛନ୍ତି, ଦ୍ରୁତ ଗତିରେ ଗାଡି ଧକ୍କା ଦେଇଥିବାରୁ ଯୁବତୀଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଉଭୟ ଗାଡି ଓ ଚାଳକଙ୍କ ବାବଦରେ ସୂଚନା ମିଳିଛି । ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସମ୍ବନ୍ଧିତ ଖବର