ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଶାହଜହାଁପୁର ସହରର ଇନ୍ଦିରାନଗର ରେଳ କ୍ରସିଂ ନିକଟରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଇୟରଫୋନ୍ ଦେଇ କଥାହୋଇହୋଇ ରେଳ ଲାଇନ ଅତିକ୍ରମ କରୁଥିବା ବେଳେ ଜଣେ କନଷ୍ଟେବଳଙ୍କୁ ଟ୍ରେନ୍ ଧକ୍କା ଦେଇଥିଲା। ଏହି ଧକ୍କାରେ କନଷ୍ଟେବଳଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ମୃତ କନଷ୍ଟେବଳଙ୍କ ନାମ ଅକ୍ଷୁବୀର ସିଂହ ବୟସ ୨୭ବର୍ଷ ବୋଲି ଜଣାପଡ଼ିଛି।
ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ପୁଲିସ କନଷ୍ଟେବଳଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ବ୍ୟବଚ୍ଛେଦ ପରେ କନଷ୍ଟେବଳ ଅକ୍ଷୁବୀର ସିଂହଙ୍କ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଛି।
ସାମଲି ଜିଲ୍ଲା ଡାଗରୋଲ ଗ୍ରାମର ବାସିନ୍ଦା ୨୭ବର୍ଷୀୟ ଅକ୍ଷୁବୀର ସିଂଙ୍କୁ ଶାହଜହାଁପୁର ପୁଲିସ ଲାଇନରେ ପୋଷ୍ଟ କରାଯାଇଥିଲା। ଅକ୍ଷୁବୀର ୨୦୧୯ବ୍ୟାଚର ଜଣେ କନଷ୍ଟେବଳ ଥିଲେ । କୁହାଯାଉଛି ଯେ ଅକ୍ଷୁବୀର ଇୟରଫୋନ୍ ଲଗାଇ ଇନ୍ଦିରାନଗର ରେଳ କ୍ରସିଂ ଆଡକୁ ଯାଉଥିଲେ। ଏହି କ୍ରସିଂ ପାର ହେଉଥିବାବେଳେ ଲକ୍ଷ୍ମୌରୁ ବରେଲି ଅଭିମୁଖେ ଯାଉଥିବା ଏକ ହାଇ ସ୍ପିଡ୍ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ଏହି ଧକ୍କାରେ ତାଙ୍କ ଜଙ୍ଘରେ ଆଘାତ ଲାଗିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ।