କର୍ତ୍ତବ୍ୟ ପାଇଁ ପତ୍ନୀ ଓ ଭାଉଜଙ୍କ ଶୁଦ୍ଧିକ୍ରିୟାକୁ ୨ ମାସ ପାଇଁ ଘୁଞ୍ଚାଇଲେ ପୁଲିସ ବାବୁ

ପ୍ରୟାଗରାଜ: କରୋନା ନେଇଗଲା ପତ୍ନୀ ଓ ଭାଉଜଙ୍କ ଜୀବନ | ତେବେ ତାଙ୍କର ଅନ୍ତିମ ସଂସ୍କାର କରିବା ପରେ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମକୁ ୨ ମାସ ପାଇଁ ଘୁଞ୍ଚାଇଦେଲେ ପୁଲିସ ବାବୁ | କରୋନା ମହାମାରୀ ବଢୁଥିବାବେଳେ ଲୋକଙ୍କ ସେବା କରିବା ପାଇଁ ସେ ଅନ୍ତିମ ସଂସ୍କାର ପରେ ଥିବା ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦେଇଛନ୍ତି | ଏହି ପୁଲିସ ବାବୁଙ୍କ ନାମ ହେଉଛି ନରେନ୍ଦ୍ର ପ୍ରସାଦ | ଉତ୍ତରପ୍ରଦେଶ ପ୍ରୟାଗରାଜ କୋତବାଲି ଥାନାରେ ଇନ୍ସପେକ୍ଟର ଭାବେ ନିୟୋଜିତ ଅଛନ୍ତି | ୧୯୯୮ ରେ ୟୁପି ପୁଲିସରେ ସବ୍ ଇନ୍ସପେକ୍ଟର ଭାବରେ ନରେନ୍ଦ୍ର ପ୍ରସାଦ ଯୋଗ ଦେଇଥିଲେ |

୨୩ ବର୍ଷର ଚାକିରିରେ ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପୁଲିସ ଷ୍ଟେସନରେ ନିୟୋଜିତ କରାଯାଇଥିଲା। ତେବେ କରୋନାର ଦ୍ଵିତୀୟ ଲହରୀରେ ନରେନ୍ଦ୍ର ପ୍ରସାଦଙ୍କ ପତ୍ନୀ ମାଳତୀ ଦେବୀ ଏବଂ ଭାଉଜ ଉର୍ମିଲା ଦେବୀ ଉଭୟ କୋଭିଡରେ ସଂକ୍ରମିତ ହୋଇଥିଲେ। ତେବେ ଦିନକ ଅନ୍ତରରେ ଦୁହିଁଙ୍କର ମୃତ୍ୟୁ ହୋଇଯାଇଥିଲା | ପରିବାରରେ ଦୁଇଜଣଙ୍କର ମୃତ୍ୟୁ ପରେ ନରେନ୍ଦ୍ର ପ୍ରସାଦ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲେ | କିନ୍ତୁ ଜଣେ ପୁଲିସ କର୍ମଚାରୀ ଭାବରେ ସେ ସାହସର ସହିତ କାର୍ଯ୍ୟ କରିଥିଲେ। ସେ ପ୍ରଥମେ ତାଙ୍କ ଭାଉଜ ଏବଂ ପତ୍ନୀଙ୍କ ଶେଷ ରୀତିନୀତି ସଂପନ୍ନ କରିଥିଲେ ଏବଂ ପରେ କାମକୁ ଫେରିଆସିଥିଲେ |

ସେ କହିଛନ୍ତି ଯେ ସେ ତାଙ୍କ ପତ୍ନୀ ଏବଂ ଭାଉଜଙ୍କୁ କରୋନା ମହାମାରୀରୁ ରକ୍ଷା କରିପାରିଲେ ନାହିଁ। କିନ୍ତୁ ବୋଧହୁଏ, ଡ୍ୟୁଟିରେ ଥିବାବେଳେ ସେ କିଛି ଲୋକଙ୍କୁ ସାହାଯ୍ୟ କରିପାରିବେ | ଯାହାଦ୍ୱାରା ଲୋକଙ୍କ ଜୀବନ ମଧ୍ୟ ରକ୍ଷା ହୋଇପାରିବ | ତାଙ୍କ କହିବାନୁସାରେ, ସେ ଏହି ମହାମାରୀରେ ତାଙ୍କ ପତ୍ନୀ ଏବଂ ଭାଉଜଙ୍କ ସମେତ ତାଙ୍କର ୬ଜଣ ନିକଟ ସମ୍ପର୍କୀୟଙ୍କୁ ହରାଇଛନ୍ତି, ତେଣୁ ସେମାନେ ମଧ୍ୟ ଏହି ମହାମାରୀ ହେତୁ ମୃତ୍ୟୁର ଯନ୍ତ୍ରଣା ବୁଝିଛନ୍ତି |

ସମ୍ବନ୍ଧିତ ଖବର