କଶ୍ମୀର : ଆତଙ୍କବାଦୀଙ୍କ ଗୁଳିମାଡ଼ରେ ପୁଲିସ ଅଧିକାରୀ ସହିଦ

ଶ୍ରୀନଗର : ଉତ୍ତର-କଶ୍ମୀରର ସପୋରେ ଟାଉନର ଓ୍ଵାରପୋରା ଗ୍ରାମରେ ବୁଧବାର ସଂଧ୍ୟାରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ହସ୍ତଗତ ହୋଇଛି । ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ସ୍ୱତନ୍ତ୍ର ପୁଲିସ ଅଧିକାରୀ ସହିଦ ହୋଇଛନ୍ତି । ଏହି ଘଟଣାରେ ଉକ୍ତ ଅଞ୍ଚଳର ଜଣେ ଦୋକାନୀ ନିହତ ହେବା ସହ ଜଣେ ବ୍ୟକ୍ତି ଆହତ ହୋଇଛି ।

ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ସଂଧ୍ୟାରେ ଓ୍ଵାରପୋରା ବଜାରରେ କେତେକ ଅଜ୍ଞାତ ବନ୍ଧୁକଧାରୀ ସ୍ୱତନ୍ତ୍ର ପୁଲିସ ଅଧିକାରୀ ଓ୍ଵାଜାହତ ଅହମଦଙ୍କ ଉପରକୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ହିଁ ଅହମଦ ଓ ଦୋକାନୀ ଓମାର ସୁଭାନ ଟଳିପଡ଼ିଥିଲେ । ସେମାନଙ୍କୁ ସପୋରେ ହସପିଟାଲକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ସଂପର୍କରେ ଖବର ମିଳିବା ପରେ ଘଟଣାସ୍ଥଳରେ ପୁଲିସ ଓ ସୁରକ୍ଷା ବଳ ପହଞ୍ଚିଥିଲେ । ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନା ପକ୍ଷରୁ ଏକ ତଲାସି ଅଭିଯାନ ଆରମ୍ଭ ହୋଇଛି ।
ଅନ୍ୟଏକ ଘଟଣାକ୍ରମେ, କେନ୍ଦ୍ରୀୟ କଶ୍ମୀରର ଛଦୁରା ଇଲାକାରେ ସେନା ପକ୍ଷରୁ ଆତଙ୍କବାଦୀଙ୍କ ବିରୋଧରେ ଏକ ଅପରେସନ ଆରମ୍ଭ କରାଯାଇଛି । ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିବା ପରେ ପୁଲିସ ଓ ସେନାର ମିଳିତ ତଲାସି ଅଭିଯାନ ଚାଲୁ ରହିଛି ।

ସମ୍ବନ୍ଧିତ ଖବର