ଅମ୍ବାନୀଙ୍କ ଘର ବାହାରେ ବୋମା ଆତଙ୍କ ଘଟଣା: ପୁଲିସକର୍ମୀଙ୍କ ଉପରେ ହତ୍ୟା ଆରୋପ ଲଗାଇଲେ ମୃତ ଗାଡ଼ି ମାଲିକଙ୍କ ପତ୍ନୀ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବା‌ସଭବନ ଆଣ୍ଟିଲିଆ ବାହାରେ ଗତ ଫେବ୍ରୁଆରି ୨୫ ତାରିଖରେ ବିସ୍ଫୋରକ ଭର୍ତ୍ତି ଥିବା ଏକ ସ୍କର୍ପିଓ ଚିହ୍ନଟ ହୋଇଥିଲା। ଏହାର କିଛି ଦିନ ପରେ ମାର୍ଚ୍ଚ ୬ରେ ସ୍କର୍ପିଓ ମାଲିକ ମନସୁଖ ହିରେନ୍‌ଙ୍କର ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ହୋଇଯାଇଥିଲା। ଏବେ ମନସୁଖ ହିରେନ୍‌ଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ପୁଲିସ ଅଫିସର ସଚିନ ବଜେଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସଚିନ ବଜେ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଛନ୍ତି ବୋଲି ଏତଲା ଦେଇଛନ୍ତି ମନସୁଖ ହିରେନ୍‌ଙ୍କ ପତ୍ନୀ।

ମନସୁଖଙ୍କ ପତ୍ନୀ ବିମଳା ନିଜ ଅଭିଯୋଗରେ ଲେଖିଛନ୍ତି ଯେ, ଅଟୋ ପାର୍ଟସ ଡିଲର ମନସୁଖ ହିରେନ ସ୍କର୍ପିଓକୁ ତିନି ବର୍ଷ ଧରି ନିଜ ପାଖରେ ରଖିଥିଲେ ଏବଂ ଏହା ମୂଳତଃ ପିଟର ନ୍ୟୁଟନଙ୍କର ଥିଲା। ଗତ ବର୍ଷ ନଭେମ୍ବରରେ ହିରେନ ନିୟମିତ ଗ୍ରାହକ ସଚିନ ବଜେଙ୍କୁ ଗାଡ଼ି ଦେଇଥିଲେ। ଫେବ୍ରୁଆରି ୫ରେ ସଚିନ ବଜେ ଷ୍ଟିଅରିଂରେ ସମସ୍ୟା ଥିବା ଅଭିଯୋଗ କରି ଗାଡ଼ିକୁ ଆମ ଦୋକାନକୁ ପଠାଇଥିଲେ। ଫେବ୍ରୁଆରି ୧୭ରେ ହିରେନ ଗାଡ଼ିରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ। ତେବେ ଷ୍ଟିଅରିଂ ଜାମ୍ ହେବାରୁ ସେ ସ୍କର୍ପିଓକୁ ମୁଲୁଣ୍ଡ ଟୋଲ ପ୍ଲାଜା ନିକଟରେ ପାର୍କ କରିଥିଲେ। କିନ୍ତୁ ପରଦିନ ଗାଡ଼ିଟି ମିଳି ନ ଥିଲା।

indiatoday

ସେ ଆହୁରି ଲେଖିଛନ୍ତି ଯେ, ସ୍କର୍ପିଓ ନମିଳିବାରୁ ହିରେନ ବିଖ୍ରୋଲି ପୁଲିସ ନିକଟରେ ଏ ନେଇ ଅଭିଯୋଗ କରିଥିଲେ। ଫେବ୍ରୁଆରି ୨୫ରେ ଯେତେବେଳେ ସ୍କର୍ପିଓ ଅମ୍ବାନୀଙ୍କ ବାସଭବନ ନିକଟରୁ ମିଳିଲା, ସେତେବେଳେ ଏଟିଏସ୍ ବିଖ୍ରୋଲି ୟୁନିଟ୍ ମୋ ସ୍ୱାମୀଙ୍କୁ ପଚରାଉଚରା କରିଥିଲା। ମୋ ସ୍ୱାମୀ ଗାଡ଼ିକୁ ଚିହ୍ନଟ କରିଥିଲେ ଏବଂ ଚୋରି ଅଭିଯୋଗ ବିଷୟରେ ମଧ୍ୟ ସୂଚନା ଦେଇଥିଲେ ଏବଂ ଏଫ୍ଆଇଆରର କପି ଦେଖାଇଥିଲେ। ଏହା ପରେ ପରେ ଫେବ୍ରୁଆରି ୨୭, ୨୮ ଏବଂ ମାର୍ଚ୍ଚ ୨ରେ ହିରେନ ସଚିନ ବଜେଙ୍କ ସହ ଥିଲେ ବୋଲି ମୋତେ ଜଣାଇଥିଲେ ଏବଂ  ପୁଲିସ ଦ୍ବାରା ନିର୍ଯାତନା ଶିକାର ହୋଇ ନଥିଲେ ମଧ୍ୟ ବଜେଙ୍କ କହିବା ମୁତାବକ ସେ ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଥାନେ ଏବଂ ମୁମ୍ବାଇର ପୁଲିସ କମିସନରଙ୍କୁ ପୁଲିସ ନିର୍ଯ୍ୟାତନା ଦେଇଥିବା ନେଇ ଅଭିଯୋଗ ପତ୍ର ପଠାଇଥିବା ଜଣାଇଥିଲେ। କିଛି ଦୋଷ ନକରି ମଧ୍ୟ ବଜେ ତାଙ୍କୁ ପୁଲିସ ଆଗରେ ଆତ୍ମସମର୍ପଣ କରିବାକୁ କହିଥିଲେ। ଏହା ପରେ ମାର୍ଚ୍ଚ ୪ରେ ସେ ଏ ବିଷୟରେ ବୁଝିବା ପାଇଁ କାନ୍ଦିଭାଲି କ୍ରାଇମବ୍ରାଞ୍ଚର ତାୱଡେଙ୍କୁ ଭେଟିଥିଲେ। ସେହି ଦିନ ତାଙ୍କ ସହ ମୁଁ ଶେଷ ଥର ପାଇଁ କଥା ହୋଇଥିଲି। ପରଦିନ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା।

ଶେଷରେ ବିମଳା ଲେଖିଛନ୍ତି ଯେ, ମୋ ସ୍ୱାମୀ ଜଣେ ଭଲ ସନ୍ତରଣକାରୀ ଥିଲେ ଏବଂ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇ ପାରିବ ନାହିଁ। ଫୋନ୍, ସୁନା ଚେନ୍, ପର୍ସ ଭଳି ଜିନିଷ ମୃତଦେହ ପାଖରୁ ମିଳିଲା ନାହିଁ। ସମଗ୍ର ପରିସ୍ଥିତିକୁ ଦେଖିଲେ ମୁଁ ନିଶ୍ଚିତ ଯେ ତାଙ୍କୁ ହତ୍ୟା କରାଯାଇଛି ଏବଂ ମୁଁ ସନ୍ଦେହ କରୁଛି ଯେ ବଜେ ତାଙ୍କୁ ହତ୍ୟା କରିଛନ୍ତି।

ସମ୍ବନ୍ଧିତ ଖବର