ଭିଡ଼ ସ୍ଥାନରେ ଏଣିକି ସାଇକେଲ ମାଧ୍ୟମରେ ପାଟ୍ରୋଲିଙ୍ଗ୍ କରିବ ପୁଲିସ

ଗୁରୁଗ୍ରାମ: ଭିଡ ଏବଂ ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନରେ ଏଣିକି ସାଇକେଲ ମାଧ୍ୟମରେ ପାଟ୍ରୋଲିଙ୍ଗ୍ କରିବ ପୁଲିସ | ହରିୟାଣାର ଗୁରୁଗ୍ରାମ୍ ପୁଲିସ ଏଭଳି ଏକ ନୂଆ ପ୍ରୟାସ ଆରମ୍ଭ କରିଛି | ଏଥିପାଇଁ ସମସ୍ତ ଥାନାକୁ ସୁରକ୍ଷିତ ଭାବେ ପାଟ୍ରୋଲିଙ୍ଗ୍ କରିବାକୁ କୁହାଯାଇଛି । ସାଇକେଲରେ ପୁଲିସକର୍ମୀ ସହଜରେ ସମସ୍ତ ସ୍ଥାନକୁ ଯାଇପାରିବେ ଓ ସଚେତନାର ବାର୍ତ୍ତା ମଧ୍ୟ ଦେଇପାରିବେ । ସାଇକେଲରେ ପାଟ୍ରୋଲିଙ୍ଗ୍ କରୁଥିବା ପୁଲିସଙ୍କୁ ‘ବିଟ ସାଇକେଲ’ ବୋଲି ନୂଆଁ ନାଁ ଦିଆଯାଇଛି ।

ସମସ୍ତ ସାଇକେଲରେ ଥାନାର ନାଁ ମଧ୍ୟ ଲେଖାଯାଇଛି । ଗୁରୁଗ୍ରାମ୍ ପୁଲିସ ମୁଖ୍ୟ ମହମ୍ମଦ ଅଖିଲ ଘୋଷଣା କରି କହିଛନ୍ତି ଯେ, ପାଟ୍ରୋଲିଙ୍ଗ୍ ରେ ଯାଉଥିବା କର୍ମଚାରୀ ସାଙ୍ଗରେ ପୁଲିସ ବାଡି, ନୋଟ ଖାତା, ଦରକାରଯୋଗ୍ୟ ଜିନିଷ ସାଙ୍ଗରେ ନେଇଯିବେ। ଗାଡି ପାଟ୍ରୋଲିଙ୍ଗ୍ ସହ ସାଇକେଲ ପାଟ୍ରୋଲିଙ୍ଗ୍ ଉଭୟ ଜାରି ରହିବ ।

ଏହା ପାଇଁ ସଦର ଥାନାକୁ ୫ଟି ସାଇକେଲ ଏବଂ ୫ଟି ହେଲମେଟ ଦିଆଯାଇଛି । ଅନ୍ୟ ଥାନାମାନଙ୍କୁ ୨ଟି ଲେଖାଏଁ ସାଇକେଲ ଓ ହେଲମେଟ ଯୋଗାଇ ଦିଆଯାଇଛି । ଏହା ଦ୍ୱାରା ପୁଲିସ ଓ ଲୋକଙ୍କ ମଧ୍ୟରେ ଭଲ ସମ୍ପର୍କ ସ୍ଥାପନ ହୋଇପାରିବ । କେତେକ ସ୍ଥାନରେ ଭିଡ ଯୋଗୁଁ ପୁଲିସ ସେଠାରେ ପାଟ୍ରୋଲିଙ୍ଗ୍ କରିବା କଷ୍ଟକର ହୋଇପଡେ ସେ ସମସ୍ୟା ମଧ୍ୟ ଦୂର ହୋଇଯିବ ବୋଲି ପୁଲିସ ମୁଖ୍ୟ କହିଛନ୍ତି ।

ସମ୍ବନ୍ଧିତ ଖବର