ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ହିଂସା ଚାଲିଛି। ଉତ୍ତର ପୂର୍ବାଞ୍ଚଳ ରାଜ୍ୟରୁ ଆରମ୍ଭ ହୋଇଥିବା ଏହି ହିଂସା ପଶ୍ଚିମବଙ୍ଗ, ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ତାମିଲନାଡ଼ୁ ଆଦି ରାଜ୍ୟକୁ ବ୍ୟାପିଛି। ଦିଲ୍ଲୀରେ ଗତ ରବିବାର ଜାମିଆ ମିଲିୟା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଚଳାଇଥିବାବେଳେ ପୁଲିସ ସେମାନଙ୍କ ଉପରେ ଅମାନୁଷିକ ଆକ୍ରମଣ କରିଥିଲା। ଏହି ନିଆଁ ଥମି ନଥିବାବେଳେ ଆଜି ପୂର୍ବ ଦିଲ୍ଲୀର ସଲିମପୁର ଅଞ୍ଚଳରେ ପୁଣି ଭୟଙ୍କର ହିଂସା ଦେଖାଦେଇଛି। ଉତ୍ତର ପୂର୍ବ ଦିଲ୍ଲୀର ସଲିମପୁର ଅଞ୍ଚଳରେ ଆନ୍ଦୋଳନକାରୀମାନେ ଆନ୍ଦୋଳନ ଚଳାଇଥିବାବେ‌ଳେ ହଠାତ୍ ଏହା ଭୟଙ୍କର ରୂପ ନେଇଛି। ଏହି ଆନ୍ଦୋଳନରେ ୧୨ ପୁଲିସ ସମେତ ୨୧ ଜଣ ଆହତ ହୋଇଥିବା ଜଣାପଡ଼ିଛି।

Advertisment

ଆନ୍ଦୋଳନକାରୀମାନେ ନାଗରିକତା ସଂଶୋଧନ ଆଇନକୁ ପ୍ରତ୍ୟାହାର ଦାବିରେ ଅନେକ ଗାଡ଼ି ସମେତ ଏକ ‌ପୁଲିସ ଫାଣ୍ଡିରେ ନିଆଁ ଲଗାଇ ଦେଇଛନ୍ତି। ପୁଲିସ ଉପରକୁ ଟେକା ପଥର ମାଡ଼ କରିଛନ୍ତି। ଆନ୍ଦୋଳନକାରୀମାନେ ଫିଙ୍ଗିଥିବା ଟେକାପଥର ରାସ୍ତାସାରା ପଡ଼ି ରହିଥିବାରୁ ଗାଡ଼ି ମଟର ଚଳାଚଳରେ ଅସୁବିଧା ସୃଷ୍ଟି ହୋଇଛି। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲାଠି ଚାର୍ଜ କରିବା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ଆନ୍ଦୋଳନକାରୀମାନେ ଟ୍ରାଫିକ୍ ପୁଲିସର ଦୁଇଟି ବାଇକ୍ ଜାଳି ଦେଇଛନ୍ତି। ପରିସ୍ଥିତିକୁ ନଜରରେ ରଖି ବହୁ ସଂଖ୍ୟାରେ ପୁଲିସ ଘଟଣା ସ୍ଥଳରେ ମୁତୟନ କରାଯାଇଛି। ପୁଲିସର କହିବାନୁଯାୟୀ, ଆନ୍ଦୋଳନକାରୀମାନେ ଆଜି ସିଲମପୁରରୁ ଜାଫ୍ରାବାଦ ଆଡ଼କୁ ଯାଇଥିଲେ। ପୁଲିସ ସେମାନଙ୍କୁ ଆଗକୁ ଯିବା ପାଇଁ ଅଟକାଇବାରୁ ସଲିମପୁର ଛକରେ ଆନ୍ଦୋଳନକାରୀ ଏବଂ ପୁଲିସ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା। ଫଳରେ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲୁହବୁହା ଗ୍ୟାସର ପ୍ରୟୋଗ କରିଥିଲା।
ଆନ୍ଦୋଳନ ଯୋଗୁ ଦରିୟାଗଞ୍ଜ ଏବଂ ଦିଲ୍ଲୀ ଗେଟ୍ ମଧ୍ୟରେ ଟ୍ରାଫିକ ପ୍ରଭାବିତ ହୋଇଛି। କେବଳ ସେତିକି ନୁହେଁ, ଦିଲ୍ଲୀ ମେଟ୍ରୋ ରେଳର ୭ଟି ଷ୍ଟେସନକୁ ବନ୍ଦ କରିବାକୁ ପଡ଼ିଛି। ଏହି ଷ୍ଟେସନ ଗୁଡ଼ିକ ମଧ୍ୟରେ ସିଲମପୁର, ଗୋକୁଳପୁର, ଜୋହରି ଏନକ୍ଲେଭ ଏବଂ ଶିବ ବିହାର ଆଦି ରହିଛି। ଆଜି ଅପରାହ୍ଣରେ ଆନ୍ଦୋଳନକାରୀମାନେ ଏହି ହିଂସା ରଚିଥିଲେ। ଆନ୍ଦୋଳନ ଉପରେ ନଜର ରଖିବା ପାଇଁ ପୁଲିସ ଡ୍ରୋନର ସହାୟତା ନେଇଛି। ଦିଲ୍ଲୀ ପୁଲିସର ଯୁଗ୍କ କମିସନର ଆଲୋକ କୁମାର କହିଛନ୍ତି, କୌଣସି ଗୁଳି ଫୁଟି ନାହିଁ। କେବଳ ଲୁହବୁହା ଗ୍ୟାସର ପ୍ରୟୋଗ ହୋଇଛି। ପରିସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି। ଲୋକଙ୍କ ଟେକାପଥର ମାଡ଼ରେ କେତେଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି। ଦୁଇଟି ସରକାରୀ ପରିବହନ ବସ୍, ତ୍ବରିତ କାର୍ଯ୍ୟାନୁଷ୍ଠାନ ବଳର ଗୋଟିଏ ବସ୍ ଏବଂ କେତୋଟି ବାଇକ୍‌କୁ ଆନ୍ଦୋଳନକାରୀମାନେ ଭାଙ୍ଗିରୁଜି ଦେଇଛନ୍ତି ବୋଲି ଶ୍ରୀ କୁମାର କହିଛନ୍ତି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୨ ହଜାର ଆନ୍ଦୋଳନକାରୀ ଗାଡ଼ି ମୋଟର ଉପରକୁ ପଥର ଫିଙ୍ଗିବା ସହିତ ସେଗୁଡ଼ିକରେ ନିଆଁ ଲଗାଇବା ଯୋଗୁ ପୁଲିସ ଲାଠି ଚାର୍ଜ ଏବଂ ଲୁହବୁହା ଗ୍ୟାସର ପ୍ରୟୋଗ କରିଥିଲା। ଶାନ୍ତି ରକ୍ଷା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକମାନଙ୍କୁ ନିବେଦନ କରିଛନ୍ତି। ଏକ ପରିପକ୍ବ ସମାଜରେ କୌଣସି ପ୍ରକାରର ହିଂସା ଗ୍ରହଣୀୟ ନୁହେଁ। ହିଂସା ଦ୍ବାରା କିଛି ହାସଲ କରାଯାଇପାରିବ ନାହିଁ। ଶାନ୍ତିପୂର୍ଣ୍ଣ ଭାବେ ସ୍ବର ଉଠାଇବାକୁ କେଜ୍ରିୱାଲ ନିବେଦନ କରିଛନ୍ତି।

ସିଏଏକୁ ବିରୋଧ କରି ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ହୋଇଥିବା ଆନ୍ଦୋଳନକୁ ସମର୍ଥନ କରି ଦେଶର ଅନ୍ୟ ବିଶ୍ବ ବିଦ୍ୟାଳୟରେ ମଧ୍ୟ ଆନ୍ଦୋଳନ ହୋଇଛି। ଗତ ଦୁଇଦିନ ଧରି ମାଡ୍ରାସ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିବାବେଳେ ଆଜି ସନ୍ଧ୍ୟାରେ ପୁଲିସ ମାଡ୍ରାସ ବିଶ୍ବବିଦ୍ୟାଳୟକୁ ପ୍ରବେଶ କରିଛି। ଛାତ୍ରଛାତ୍ରୀମାନେ ସେମାନଙ୍କ ପରବର୍ତ୍ତୀ କାର୍ଯ୍ୟ ସଂକ୍ରାନ୍ତରେ ନିଷ୍ପତ୍ତି ନେଉଥିବାବେଳେ ପୁଲିସ ବିଶ୍ବବିଦ୍ୟାଳୟ ଭିତରକୁ ପ୍ରବେଶ କରିଥିବା ଜଣାପଡ଼ିଛି। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଛି।

‌ଆନ୍ଦୋଳନକାରୀଙ୍କ ଟେକା ମାଡ଼
‌ପୁଲିସର ଲୁହବୁହା ଗ୍ୟାସ ପ୍ରୟୋଗ
ମାଡ୍ରାସ ବିଶ୍ବବିଦ୍ୟାଳୟରେ ପୁଲିସ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକାଣ୍ଡର ତଦନ୍ତ କରିବାକୁ ସୁପ୍ରିମ୍‌ କୋର୍ଟ ମନା କରିବା ସହ ଏହାର ବିଚାର ପାଇଁ ହାଇକୋର୍ଟକୁ ଯିବା ପାଇଁ ଆବେଦନକାରୀଙ୍କୁ କହିଛନ୍ତି। ସେହିଭଳି ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ କମିଟି ଗଠନ କରିବାକୁ ମଧ୍ୟ ସୁପ୍ରିମ୍‌ କୋର୍ଟ ମନା କରିଛନ୍ତି। ଆବେଦନକାରୀମାନେ ନିଜନିଜ ରାଜ୍ୟର ହାଇକୋର୍ଟରେ ଆବେଦନ କରିବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟମାନେ କମିଟି ଗଠନ କରି ଏହାର ତଦନ୍ତ କରିପାରି‌‌ବେ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଏସ୍‌. ଏ. ବୋବ୍‌ଡେଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କୁ ବେଆଇନ ଗିରଫଦାରୀ, ପୁଲିସର ଅନ୍ୟାୟ ଲାଠି ମାଡ଼ ଓ ଆହତ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ନ ଦେବା ଆଦି ଅଭିଯୋଗ ନେଇ ଆବେଦନକାରୀ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅପରପକ୍ଷେ, ଆଲିଗଡ଼ ମୁସ୍‌ଲିମ ବିଶ୍ବବିଦ୍ୟାଳୟର ମାତ୍ର ଦୁଇ ଜଣ ଛାତ୍ରଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି ବୋଲି ସଲିସିଟର ଜେନେରାଲ୍‌ ତୁଷାର ମେହେଟ୍ଟା କହିଥିଲେ। ‌ପୁଲିସ କୌଣସି ଛାତ୍ରଛାତ୍ରୀଙ୍କ ଉପରେ ଲାଠି ମାଡ଼ କରିନାହିଁ କି ପୁଲିସ ଦ୍ବାରା କେହି ଛାତ୍ର ଆହତ ହୋଇ ନାହାନ୍ତି ବୋଲି ଶ୍ରୀ ମେହେଟ୍ଟା ନିଜର ପକ୍ଷ ରଖିଛନ୍ତି। ଅଭିଯୋଗ ଓ ପ୍ରତି ଅଭିଯୋଗ ଶୁଣିବା ପରେ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ, ବିଚାରପତି ବି.ଆର୍‌. ଗଭାଇ ଓ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ ସୁପ୍ରିମ୍‌ କୋର୍ଟ ପରିବର୍ତ୍ତେ ନିଜନିଜର ହାଇକୋର୍ଟକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ରାଜ୍ୟର ହାଇକୋର୍ଟର ମୁଖ୍ୟ ବିଚାରପତିମାନେ ଏ ନେଇ ବିଚାର କରିବେ ଏବଂ ଆବଶ୍ୟକ ସ୍ଥଳେ କମିଟି ଗଠନ କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି।