କଣ୍ଟକିତ ତାର ସାଙ୍ଗକୁ ରାସ୍ତାରେ କଣ୍ଟା ପୋତିଲା ପୁଲିସ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ସୀମାରେ ବସିଥିବା କୃଷକ ସଂଗଠନ ଆସନ୍ତା ୬ ତାରିଖରେ ଦେଶବ୍ୟାପୀ ‘ଚକା ଜାମ୍‌’ କରିବାକୁ ଘୋଷଣା କରିଛନ୍ତି | ଆଉ ଟ୍ରାକ୍ଟର ପ୍ୟାରେଡ଼ ସମୟରେ ହୋଇଥିବା ବିଶୃଙ୍ଖଳାକୁ ଆଉ ଦୋହରାଇବାକୁ ଚାଁହୁନି ଦିଲ୍ଲୀ ପୁଲିସ | ଯେଉଁଥିପାଇଁ ଗାଜିପୁର ସୀମା ଏବେ ପୁଲିସ ଛାଉଣୀରେ ପରିବର୍ତ୍ତନ ହୋଇଯାଇଛି | ଚାଷୀ ଯେଭଳି ଦିଲ୍ଲୀ ଅଭିମୁଖେ ନ ବଢିବେ ସେଥିପାଇଁ ପୁଲିସ ପକ୍ଷରୁ ବିଭିନ୍ନ ପ୍ରକାରର ପନ୍ଥା ଗ୍ରହଣ କରାଯାଇଛି | ରାଜପଥ ଉପରେ କଂକ୍ରିଟରେ ଅବରୋଧ ସହ କଣ୍ଟକିତ ତାର ରାସ୍ତାରେ ଲଗାଯାଇଛି | ଏହା ସହ ଯଦି ଟ୍ରାକ୍ଟର ଦ୍ୱାରା କଣ୍ଟକିତ ତାର ଓ କଂକ୍ରିଟ ଅବରୋଧ ହଟାଇବାକୁ ଚାଷୀ ଚେଷ୍ଟା କରିବେ, ସେଥିପାଇଁ ରାସ୍ତାରେ କଣ୍ଟା ମଧ୍ୟ ପୋତାଯାଇଛି | ତେବେ ସୁରକ୍ଷା ବ୍ୟବସ୍ଥା ଏଭଳି ଆପଣାଯାଇଛି ଯେ, ଦିଲ୍ଲୀକୁ ପ୍ରବେଶ କରିବାକୁ ଥିବା ବିକଳ୍ପ ମାଧ୍ୟମରେ ବି ଅବରୋଧ କରାଯାଇଛି | ଏହା ସହ ବ୍ୟାପକ ସଂଖ୍ୟାରେ ପୁଲିସ ଫୋର୍ସ ଏବେ ମୁତୟନ ହୋଇଛନ୍ତି |

ତେବେ ପୁଲିସ ପକ୍ଷରୁ କରାଯାଇଥିବା ଏଭଳି ବ୍ୟବସ୍ଥାକୁ ତୀବ୍ର ବିରୋଧ କରିଛନ୍ତି କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ | ରାହୁଲ ଟ୍ୱିଟ କରି ଲେଖିଛନ୍ତି ଯେ ‘ଭାରତ ସରକାର, ସେତୁ ନିର୍ମାଣ କରନ୍ତୁ ଅବରୋଧକ ନୁହେଁ’ | ସେହିପରି କଂଗ୍ରେସ ମହାସଚିବ ଟ୍ୱିଟ କରି ଲେଖିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ଜୀ, ନିଜର କୃଷକଙ୍କ ସହ ଯୁଦ୍ଧ’ ?


ସୂଚନା ଥାଉ କି ୨୬ ଜାନୁଆରୀ ହିଂସାରେ ଦିଲ୍ଲୀରେ ପ୍ରାୟ ୪୦୦ ସୁରକ୍ଷା କର୍ମୀ ଆହତ ହୋଇଥିଲେ ଓ ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଆହତ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ପୁଲିସ ବର୍ତ୍ତମାନ ଏହି ପଦକ୍ଷେପ ନେଇଛି।

ସମ୍ବନ୍ଧିତ ଖବର