ପୁଲିସ-ଆନ୍ଦୋଳନକାରୀ ମୁହାଁମୁହିଁ: ଦାୟିତ୍ବରେ ଅବହେଳା ପାଇଁ ଏଏସ୍‌ଆଇ, ଏସଏଚଓ ନିଲମ୍ବିତ

ନୂଆଦିଲ୍ଲୀ: ଉଦୟପୁର ହତ୍ୟା ଘଟଣାକୁ ବିରୋଧ କରି ଆଜି ରାଜସ୍ଥାନର ରାଜସମନ୍ଦ ଜିଲ୍ଲା ଅଧୀନସ୍ଥ ଭୀମ ସହରରେ ଜୋରଦାର ଆନ୍ଦୋଳନ ହୋଇଛି। ଭୀମ ସହରରେ ପୁଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆଜି ମୁହାଁମୁହିଁ ସଂଘର୍ଷ ହୋଇଥିଲା। ଜଣେ ପୁଲିସ କର୍ମୀ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାକୁ ‌ଚେଷ୍ଟା କରିଥିଲା। କିନ୍ତୁ ଏହା ହିଂସାରେ ପରିଣତ ହୋଇଥିଲା। ଆନ୍ଦୋଳନକାରୀମାନେ ପୁଲିସ ଉପରେ ପଥର ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପୁଲିସ କନେଷ୍ଟବଳ ସନ୍ଦୀପ ଚୌଧୁରୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଗୁରୁତର ଅଛି। ଭୀମ ସହରରେ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାପାଇଁ ପୁଲିସ ୧୦ ରାଉଣ୍ଡ୍‌ ଫାଙ୍କା ଗୁଳି ଚାଳନା କରିଛି। ପୁଲିସର ଲାଠିମାଡ଼ ଯୋଗୁଁ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି। ସହରରେ ସ୍ଥିତି ଅତି ଉ‌ଦ୍‌ବେଗଜନକ ରହିଛି। ପୁଲିସ, ଏନ୍‌ଆଇଏ, ଏସଆଇଟି, ଏଫଏସଏଲ ଏବଂ ଏଟିଏସ୍‌ ଟିମ୍‌ ଉଦୟପୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଏନ୍‌ଆଇଏ ଉକ୍ତ ଘଟଣାର ତଦନ୍ତ କରିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ଘୋଷଣା କରିଛନ୍ତି। ରାଜ୍ୟ ସରକାର ମଧ୍ୟ ଉକ୍ତ ଘଟଣାର ତଦନ୍ତ ପାଇଁ ଏକ ଏସ୍‌ଆଇଟି ଗଠନ କରିଛନ୍ତି।

ସମ୍ବନ୍ଧିତ ଖବର