ସାମ୍ନାକୁ ଆସିଲା ପୁଲିସର ଅମାନବୀୟ କାର୍ଯ୍ୟ: ଗାଡ଼ିରେ ବାନ୍ଧି ଭିଡି ନେଇଗଲେ ମୃତଦେହ

ରାଞ୍ଚି: ସାମ୍ନାକୁ ଆସିଲା ପୁଲିସର ଅମାନବୀୟ କାର୍ଯ୍ୟ | ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଗାଡିର ପଛପଟେ ପୁଲିସ ବାନ୍ଧି ନେଇଛି | ଆଉ ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ପୁଲିସର କାର୍ଯ୍ୟକୁ ନେଇ ସବୁଠି ପ୍ରଶ୍ନ ଉଠିଛି | ଝାଡ଼ଖଣ୍ଡର ରାମଗଡ ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି | ଯେଉଁଠାରେ ପୁଲିସ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ପୁଲିସ ଗାଡି ପଛରେ ଷ୍ଟ୍ରେଚରରେ ବାନ୍ଧି ରାଜପଥରୁ ପୁଲିସ ଷ୍ଟେସନକୁ ନେଇଥିଲା। ମିଳିଥିବା ସୂଚନା ମୁତାବକ ଗତକାଲି ମାଣ୍ଡୁ ଥାନା ଅଧିକାରୀଙ୍କ ପାଖକୁ ସୂଚନା ଆସିଥିଲା ଯେ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି |

ଏହା ପରେ ଥାନା ଅଧିକାରୀ ଘଟଣାସ୍ଥଳକୁ ପାଟ୍ରୋଲିଂ ଟିମକୁ ପଠାଇଥିଲେ | ଟ୍ରକ୍ ଧକ୍କା ଦେବା ପରେ ରାମେଶ୍ୱର ରାମ ନାମକ ବାଇକ୍ ଆରୋହୀ ରମେଶ୍ୱର ରାମଙ୍କର ମୃତ୍ୟୁ ଘଟିଥିଲା । ଆଉ ମୃତଦେହ ନେବାକୁ ପୁଲିସ ସ୍ଥାନୀୟ ଡାକ୍ତରଖାନାକୁ ଫୋନ ଯୋଗେ ସୂଚନା ଦେଇଥିଲେ | ତେବେ ଡାକ୍ତରଖାନା କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଗାଡି ନଥିବାର କହିଥିଲେ | କର୍ତ୍ତୃପକ୍ଷ କୌଣସି ଆମ୍ବୁଲାନ୍ସ ନ ପଠାଇ ଏକ ଷ୍ଟ୍ରେଚର ହିଁ ପଠାଇଥିଲେ | ଏହା ପରେ ପୁଲିସ ମୃତଦେହକୁ ଷ୍ଟ୍ରେଚରରେ ନେଇ ଗାଡିର ପଛପଟରେ ବାନ୍ଧି ପୁଲିସ ଷ୍ଟେସନକୁ ଆଣିଥିଲା।

ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଜିଲ୍ଲାର ଏସପି ପ୍ରଭାତ କୁମାର ଏହି କାର୍ଯ୍ୟକୁ ଗୁରୁତର ସହ ନେଇଥିଲେ। ସେ କହିଛନ୍ତି ଯେ ଏସଡିପିଓ ରାମଗଡକୁ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଯିଏ ସମ୍ପୃକ୍ତ ଥିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ |

ସମ୍ବନ୍ଧିତ ଖବର