ବିଧାନସଭାରେ କଳଙ୍କ:ଯୁବତୀଙ୍କୁ ଦୁଷ୍କର୍ମ, ପୁଲିସ ଗିରଫ

ରାୟପୁର: ବିଧାନସଭା ପରି ଗଣତନ୍ତ୍ରର ପବିତ୍ର ମନ୍ଦିର ପରିସରରେ ରକ୍ଷକ ସାଜିବା ପରିବର୍ତ୍ତେ ପୁଲିସର ଘୃଣ୍ୟ କାମାତୁର ମାନସିକତା ସାରା ଛତିଶଗଡ଼ ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗତ ୭ ତାରିଖରେ ଛତିଶଗଡ଼ ବିଧାନସଭା ବୁଲିବାକୁ ଆସିଥିବା ଜଣେ ଯୁବତୀଙ୍କୁ ଜଣେ ପୁଲିସ୍‌ କନେଷ୍ଟବଳ ଦୁଷ୍କର୍ମ କରିବା ଘଟଣା ଆଲୋଡ଼ନ ଆଣିଛି। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଦୁଷ୍କର୍ମକାରୀ ପୁଲିସ କନେଷ୍ଟବଳକୁ ଗିରଫ କରାଯାଇଛି।
ମିଳିଥିବା ସୂଚନାନୁଯାୟୀ, ଗତ ୭ ତାରିଖରେ ମଧ୍ୟପ୍ରଦେଶର ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ସରକାରୀ ଅନୁମତି ହାସଲ କରି ବିଧାନସଭା ପରିସର ବୁଲିବାକୁ ଯାଇଥିଲେ। ବିଧାନସଭା ପରିସରରେ ସେମାନେ ଏକ ଗଛ ମୂଳେ ବସିଥିବା ସମୟରେ ପିସିଆର୍‌ ଭ୍ୟାନ୍‌ରେ ଦୁଇଜଣ ପୁଲିସ୍‌ ଆସି ସେମାନଙ୍କୁ ଜବାବ ତଲବ କରିଥିଲେ। ପରେ ବିଭିନ୍ନ ଆଳ ଦେଖାଇ ଜଣେ ପୁଲିସ୍‌ କନେଷ୍ଟବଳ ଯୁବତୀଙ୍କ ପୁରୁଷବନ୍ଧୁଙ୍କୁ ଗାଡ଼ିରେ ବସାଇ ଥାନାକୁ ନେଇଯାଇଥିଲେ। ଏହା ପରେ ଅନ୍ୟ ପୁଲିସ୍‌ କନେଷ୍ଟବଳ ଜଣକ ଯୁବତୀଙ୍କ ସହ ଅସଦାଚରଣ କରିଥିଲେ। ତାଙ୍କ ନାମରେ ମିଛ ମାମଲା ରୁଜୁ କରି ଫସାଇ ଦେବାକୁ ଧମକ ଦେଇ ସେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ ଯୁବତୀ ଜଣକ ରବିବାର ରାତିରେ ରାୟପୁର ଥାନାରେ ମାମଲା ଦାୟର କରିବା ପରେ ଅଭିଯୁକ୍ତ ପୁଲିସ୍‌କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର