ଶ୍ରୀନଗର: ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ କରିବାକୁ ଜାମ୍ମୁ କାଶ୍ମୀର ପୁଲିସ ଏବଂ ସେନା ଦିନରାତି କାର୍ଯ୍ୟ କରୁଛନ୍ତି। ଅନ୍ୟପଟେ ପାକିସ୍ତାନରେ ବସିଥିବା ବିଭିନ୍ନ ଆତଙ୍କବାଦୀ ସଂଗଠନର ନେତାମାନେ ଉପତ୍ୟକାରେ ନିଜର ମୂଳଦୁଆକୁ ସୁଦୃଢ କରିବାକୁ ସୋସିଆଲ ମିଡିଆ, ଅର୍ଥ ଲୋଭ ଦେଇ ଯୁବକମାନଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଆତଙ୍କବାଦୀ ବିରୋଧୀ କାର୍ଯ୍ୟ ସହିତ ସୁରକ୍ଷା ବାହିନୀ ମଧ୍ୟ ଆତଙ୍କବାଦୀ ସଂଗଠନର ଏହି କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିଛି । ଏହି ଅଭିଯାନ ଅଧୀନରେ ଅନନ୍ତନାଗ ପୁଲିସକୁ ବଡ଼ ସଫଳତା ମିଳିଛି | ଅନନ୍ତନାଗର ବିଭିନ୍ନ ଅଞ୍ଚଳରୁ ଆତଙ୍କବାଦୀ ସଂଗଠନରେ ଯୋଗଦେବାକୁ ପାକିସ୍ତାନ ଯାଉଥିବା ପ୍ରାୟ ୧୪ ଜଣ ଯୁବକଙ୍କୁ ପୁଲିସ ଉଦ୍ଧାର କରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି ।

Advertisment

ଏହି ଯୁବକମାନେ ପାକିସ୍ତାନର ସୀମାରେ ପହଂଚିବା ପୂର୍ବରୁ ପୁଲିସ ଏ ବିଷୟରେ ଜାଣିପାରି ଏହି ଯୁବକମାନଙ୍କୁ ବାଟରେ ଧରିଥିଲା। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ କିଛି ଦିନ ହେବ ଏହି ଯୁବକମାନଙ୍କୁ ଆତଙ୍କବାଦୀ ସଂଗଠନର ନେତାମାନେ କାଉନ୍ସେଲିଂ କରୁଥିଲେ | ତେବେ ପୁଲିସ ଉଦ୍ଧାର କରିବା ପରେ ଏହି ଯୁବକମାନେ ବୁଝିଯାଇଛନ୍ତି ଯେ ଆତଙ୍କବାଦ ରାସ୍ତାରେ ତାଙ୍କ ମୃତ୍ୟୁ ନିଶ୍ଚିତ, ମୃତ୍ୟୁ ପରେ ପରିବାର ସଦସ୍ୟଙ୍କ ଯତ୍ନ ନେବାକୁ କେହି ନାହାଁନ୍ତି। ପୂର୍ବରୁ ଏତେ ସଂଖ୍ୟକ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗଦେବାକୁ ବାହାରି ନଥିଲେ।

ପ୍ରାୟ ୧୮ ରୁ ୨୨ ବର୍ଷ ବୟସର ଏହି ଯୁବକମାନେ ବିଭିନ୍ନ ସ୍ଥାନୀୟ ଆତଙ୍କବାଦୀ ସଂଗଠନର ସକ୍ରିୟ ସଦସ୍ୟଙ୍କ ସହ ଯୋଗାଯୋଗରେ ଥିଲେ। ପାକିସ୍ତାନରେ ଥିବା ଆତଙ୍କବାଦୀମାନେ ମଧ୍ୟ ଏହି ଯୁବକମାନଙ୍କୁ ସୋସିଆଲ ମିଡିଆ ଜରିଆରେ ଆତଙ୍କବାଦୀ ସଂଗଠନରେ ଯୋଗଦେବା ପାଇଁ ପ୍ରଲୋଭନ ଦେଖାଇଥିଲେ। ତେବେ ପୁଲିସ ସେମାନଙ୍କୁ ଉଦ୍ଧାର କରି ଆଜି ଏମାନଙ୍କ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଛି |