ଚାଲାଣବେଳେ ୨୬ ଶିଶୁଙ୍କୁ ଟ୍ରେନ୍‌ରୁ ଉଦ୍ଧାର କଲା ପୁଲିସ

ନୂଆଦିଲ୍ଲୀ: ବୁଧବାର ରାତିରେ କର୍ମଭୂମି ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ବିହାର ପୁଲିସ ୨୬ ଜଣ ନାବାଳକଙ୍କୁ ଉଦ୍ଧାର କରିଛି। ଟ୍ରେନ୍‌ଟି ପଶ୍ଚିମବଙ୍ଗର ନିଉ ଜଲପାଇଗୁଡ଼ିରୁ ବିହାର ଦେଇ ପଞ୍ଜାବର ଅମୃତସରକୁ ଯାଉଥିଲା। ଏହି ମାମଲାରେ ପୁଲିସ ୧୨ ଜଣ ଶିଶୁ ଚାଲାଣକାରୀଙ୍କୁ ଗିରଫ କରିଛି। ସ୍ବେଚ୍ଛାସେବୀ ସଂଗଠନ ବଚପନ ବଚାଓ ଆନ୍ଦୋଳନ ନିକଟରୁ ସୂଚନା ପାଇ ଜିଆର୍‌ପି (ଗଭର୍ଣ୍ଣମେଣ୍ଟ ରେଲୱେ ପୁଲିସ), ଆର୍‌ପିଏଫ୍‌ (ରେଲୱେ ପ୍ରୋଟେକ୍‌ସନ୍‌ ଫୋର୍ସ), ସିଡବଲ୍ୟୁସି (ରେଲୱେ ଚାଇଲ୍‌ଡଲାଇନ୍‌ ଆଣ୍ଡ ଚାଇଲ୍‌ଡ ୱେଲଫେୟାର କମିଟି)ର ମିଳିତ ଚଢ଼ଉରେ ହାଜିପୁର ଷ୍ଟେସନରେ ଟ୍ରେନ୍‌ଟି ଛିଡ଼ା ହୋଇଥିବାବେଳେ ପ୍ରଥମେ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ସୋନେପୁରରୁ ୯ ଏବଂ ଛାପ୍ରା ରେଳ ଷ୍ଟେସନରୁ ୫ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କରାଯାଇଥିବା ସବୁ ଶିଶୁ ୧୦ ବର୍ଷରୁ କମ୍‌ ବୟସର। ସେମାନଙ୍କ ସହିତ ଯାତ୍ରା କରୁଥିବା ଲୋକମାନେ ନିଜକୁ ସମ୍ପର୍କୀୟ ଏବଂ ପଡ଼ୋଶୀ ବୋଲି ପରିଚୟ ଦେଇଥିଲେ।

ଉଦ୍ଧାର ହୋଇଥିବା ଶିଶୁମାନେ କଟିହାର, କିଷନଗଞ୍ଜ, ପୂର୍ଣ୍ଣିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କୁ ସାହାରନପୁର, ଅମ୍ବାଲା, ଲୁଧିଆନା, ଅମୃତସର ଏବଂ ଦିଲ୍ଲୀରେ ଶିଶୁ ଶ୍ରମିକ ଭାବେ କାମ କରିବାକୁ ନିଆଯାଉଥିବା ଅନୁମାନ କରାଯାଉଛି। ଏହି ଶିଶୁ ଚାଲାଣ ରୢାକେଟ୍‌ରେ ଆଉ କେହି ସମ୍ପୃକ୍ତ ଅଛି କି ନା ପୁଲିସ ତଦନ୍ତ କରୁଛି। ଉଦ୍ଧାର ହୋଇଥିବା ଶିଶୁମାନଙ୍କ ବାପାମାଙ୍କୁ ଡକାଯାଇଛି। ଚାଇଲ୍‌ଡ ୱେଲଫେୟାର କମିଟି ପକ୍ଷରୁ ସେମାନଙ୍କୁ କାଉନସେଲିଂ କରାଯିବା ପରେ ପିଲାମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର