ପିତାଙ୍କ ଶବ ସହ ୩ ମାସ ଥିଲେ ପୁଅ, ଉଦ୍ଧାର କଲା ପୁଲିସ

କୋଲକାତା: ବହୁଚର୍ଚ୍ଚିତ କୋଲକାତାର ସଫ୍ଟୱେର ଇଞ୍ଜିନିୟର ପାର୍ଥ ଦେ ନିଜ ଭଉଣୀ ଏବଂ ପୋଷା କୁକୁରର କଙ୍କାଳ ସହ ରହୁଥିବା ଘଟଣା ଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। କୋଲକାତାର ଜଣେ ବ୍ୟକ୍ତି ଗତ ୩ ମାସ ହେଲା ନିଜ ପିତାଙ୍କ ଶବ ସହ ଘରେ ରହୁଥିବା ଜଣାପଡ଼ିଛି। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଜବତ ହୋଇଥିବା ଶବ ୭୦ ବର୍ଷୀୟ ସଂଗ୍ରାମ ଦେଙ୍କର ଏବଂ ତାଙ୍କ ପୁଅଙ୍କ ନାଁ କୌଶିକ ଦେ। କୌଶିକ ମାନସିକ ରୋଗରେ ପୀଡ଼ିତ ଥିବା ପୁଲିସ ଜାଣିବାକୁ ପାଇଛି। ସଂଗ୍ରାମଙ୍କ ମୃତ୍ୟୁ ସ୍ବାଭାବିକ ଥିଲା କି ନା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିବ ବୋଲି ପୁଲିସ କହିଛି।

ପୁଲିସ ସୂତ୍ରରୁ ଜଣାପଡ଼ିଛି, ସଂଗ୍ରାମ ଦେ ମୁମ୍ବାଇସ୍ଥିତ ଭାଭା ଆଟମିକ୍ ରିସର୍ଚ୍ଚ ସେଣ୍ଟରରେ କାମ କରୁଥିଲେ। ତାଙ୍କ ଶବ କେ ପି ରାୟ ଲେନ୍‌ସ୍ଥିତ ତାଙ୍କ ବାସଭବନରୁ କଙ୍କାଳ ରୂପେ ଉଦ୍ଧାର କରାଯାଇଛି। ପଚରା ଉଚରା ବେଳେ କୌଶିକ ପୁଲିସକୁ କହିଛି, ତିନି ମାସ ପୂର୍ବେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା। ସୂଚନାଯୋଗ୍ୟ, କିଛିଦିନ ହେଲା ସଂଗ୍ରାମ ଦେଖାଯାଉ ନାହାନ୍ତି ବୋଲି କିଛି ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ଆଧାରରେ ପୁଲିସ ସଂଗ୍ରାମଙ୍କ ଘରେ ପହଞ୍ଚି ତାଙ୍କ ୩୫ ବର୍ଷିୟା ରୋଗିଣା ପତ୍ନୀଙ୍କୁ ଭେଟିଥିଲେ। ତା’ପରେ ସମଗ୍ର ଘଟଣା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର