ପୁଣେ: ଆଜିକାଲି ପୁଣେ ପୁଲିସର ଏକ କାର୍ଯ୍ୟକୁ ସୋସିଆଲ ମିଡିଆରେ ଭରପୁର ପ୍ରଶଂସା କରାଯାଉଛି। ପୁଣେ ପୁଲିସ ବୁଦ୍ଧି ଏବଂ ଚତୁରତାର ସହିତ ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଥିଲା | ବାସ୍ତବରେ ପୁଣେର ଜଣେ ବ୍ୟକ୍ତି ଫେସବୁକରେ ଲାଇଭ କରି ଆତ୍ମହତ୍ୟା କରିବାକୁ ଧମକ ଦେଉଥିଲେ। ଫେସବୁକ୍ ମାଧ୍ୟମରେ ପୁଲିସ ମଧ୍ୟ ଏ ସମ୍ପର୍କରେ ସୂଚନା ପାଇଥିଲା। ଭିଡିଓ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଆତ୍ମହତ୍ୟା କରିବାକୁ ଅଟକାଇଥିଲା। ପୁଣେ ପୁଲିସର ଜଣେ ଅଧିକାରୀ କହିଛନ୍ତି ଯେ ପୁଣେ ସିଟି ପୁଲିସ ଶନିବାର ସନ୍ଧ୍ୟାରେ ସୂଚନା ପାଇଥିଲା ଯେ ଜଣେ ବ୍ୟକ୍ତି ଫେସବୁକରେ ଲାଇଭ କରି ଆତ୍ମହତ୍ୟା କରିବାକୁ ଧମକ ଦେଉଛନ୍ତି। ଭିଡିଓରେ ଏହି ବ୍ୟକ୍ତି ଜଣକ କହିଥିଲେ ଯେ ସେ ନିଜ ଜୀବନରେ ଅସନ୍ତୁଷ୍ଟ ଅଛନ୍ତି।
ଏବାବଦରେ ଜାଣିବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ଅଧ ଘଣ୍ଟା ମଧ୍ୟରେ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଉକ୍ତ ବ୍ୟକ୍ତିଙ୍କୁ ଅଟକାଇଥିଲା। ଆସିଷ୍ଟାଣ୍ଟ ପୁଲିସ୍ କମିଶନର ସୁଷମା ଚୌହାନ କହିଛନ୍ତି, “ସୂଚନା ପାଇବା ପରେ ମୋବାଇଲ୍ ଫୋନ୍ ଲୋକେସନ ଆଧାରରେ ପ୍ରାପ୍ତ ସୂଚନାକୁ ଆଧାର କରି ଏକ ଟିମ୍ ତାଙ୍କ ଘରକୁ ପଠାଯାଇଥିଲା। କିଛି ସମୟ ପରେ ଉକ୍ତ ବ୍ୟକ୍ତିଙ୍କ ମୋବାଇଲ୍ ଫୋନ୍ ମଧ୍ୟ ବନ୍ଦ ହୋଇଯାଇଥିଲା | ଯାହା ପରେ ତାଙ୍କର ପ୍ରକୃତ ସ୍ଥାନ ଚିହ୍ନିବା କଷ୍ଟସାଧ୍ୟ ହୋଇପଡିଥିଲା। ମୋବାଇଲ୍ ଫୋନ୍ ବନ୍ଦ ହେବା ପରେ ପୁଲିସ୍ ଟିମ୍ ଉକ୍ତ ବ୍ୟକ୍ତିଙ୍କୁ ଖୋଜାଖୋଜି କରିଥିଲା। ପୁଲିସ ତାଙ୍କ ଫଟୋକୁ ସାରା ଅଞ୍ଚଳରେ ଦେଖାଇ ଅନୁସନ୍ଧାନ କରିଥିଲା। ଶେଷରେ ପୁଲିସ ତାଙ୍କୁ ସାଲିସବୋରୀ ପାର୍କ ଅଞ୍ଚଳର ଏକ ଫୁଟପାଥରେ ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଉଦ୍ଧାର କରିଥିଲା। ପରେ ତାଙ୍କୁ ପୁଲିସ ଷ୍ଟେସନକୁ ଅଣାଯାଇଥିଲା। ଏହାପରେ ତାଙ୍କୁ ବୁଝାଇ ଘରକୁ ପଠାଇଦିଆଯାଇଥିଲା |