ମୋଦୀ ସଡ଼କ ପଥରେ ଆସୁଛନ୍ତି ବୋଲି ପୁଲିସ କହିଥିଲା, ଆମେ ଏହା ମିଛ ଭାବିଥିଲୁ: ବିକେୟୁ ନେତା

ମୋଦୀଙ୍କ ସଡ଼କ ପଥ ଯାତ୍ରା ପାଇଁ ପଂଜାବ ପୁଲିସ ମୁଖ୍ୟ ସ୍ବୀକୃତି ଦେଇଥିଲେ

ନୂଆଦିଲ୍ଲୀ: ବିକେୟୁ (ଭାରତୀୟ କିଷାନ ସଂଗଠନ)ର ସଦସ୍ୟମାନେ ସ୍ବୀକାର କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍‌କେଡକୁ ଏହାର କର୍ମୀମାନେ ହିଁ ରାସ୍ତାରେ ଅଟକାଇଥିଲେ। ବିକେୟୁ ମୁଖ୍ୟ ସୁରଜିତ ସିଂହ ଫୁଲ୍‌ କହିଛନ୍ତି, ଏମ୍‌ଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ସଂକ୍ରାନ୍ତରେ ସରକାର କମିଟି ଗଠନ ନକରିବାରୁ ୧୨-୧୩ ଚାଷୀ ସଂଗଠନ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମୋଦୀଙ୍କ ରୢାଲିସ୍ଥଳଠାରୁ ୮ କିମି ଦୂରରେ ଆନ୍ଦୋଳନ ହୋଇଥିବା ସେ କହିଛନ୍ତି। ଚାଷୀ ନେତା ସୁରଜିତ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ସଡ଼କ ପଥରେ ଆସୁଛନ୍ତି ବୋଲି ପୁଲିସ ହିଁ ଆମକୁ କହିଥିଲା କିନ୍ତୁ ଆମେ ଏହାକୁ ମିଛ ଭାବିଥିଲୁ। କାରଣ ରୢାଲି ସ୍ଥଳ ନିକଟରେ ଏକ ବିଶାଳ ହେଲିପ୍ୟାଡ୍‌ ଅଛି। ତେଣୁ ଆମେ ପୁଲିସର କଥାକୁ ମିଛ ଭାବି ରାସ୍ତା ଫାଙ୍କା କରିନଥିଲୁ। ଯଦି ଆମକୁ ପୁଲିସ ଭଲଭାବେ ବୁଝାଇଥାନ୍ତା ଯେ, ପ୍ରଧାନମନ୍ତ୍ରୀ ରାସ୍ତାରେ ଆସୁଛନ୍ତି ତେବେ ଆମେ ରାସ୍ତା ଫାଙ୍କା‌ କରିଥାନ୍ତୁ।’ ସୁରଜିତ କହିଛନ୍ତି, ଆମେ ଯାହା କରିଛୁ ତାହା ସଂପୂର୍ଣ୍ଣ ଠିକ୍‌। ଆନ୍ଦୋଳନ କରିବା ଆମର ଗଣତାନ୍ତ୍ରିକ ଅଧିକାର ବୋଲି ସୁରଜିତ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଡ଼କ ପଥରେ ଗସ୍ତ ପାଇଁ ପଂଜାବ ପୁଲିସକୁ ଆଗୁଆ ଅବଗତ କରାଯାଇଥିଲା ଏବଂ ରାଜ୍ୟ ପୁଲିସ ମୁଖ୍ୟଙ୍କଠାରୁ ଏନେଇ ସ୍ବୀକୃତି ମିଳିଥିଲା ବୋଲି ଜଣାପଡ଼ିଛି। ଏହାସତ୍ତ୍ବେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ହେବା ନିନ୍ଦନୀୟ ବୋଲି ବିଜେପି କହିଛି। ପ୍ରଧାନମନ୍ତ୍ରୀ ଭଟିଣ୍ଡାରୁ ହେଲିକପ୍ଟରରେ ଯାଇଥାନ୍ତେ। କିନ୍ତୁ ଶେଷ ମୁହୂର୍ତ୍ତରେ ପାଗ ଖରାପ୍‌ ହେତୁ ଯୋଜନାରେ ପରିବର୍ତ୍ତନ ହୋଇଥିଲା। ପଂଜାବ ବି‌ଜେପି ସଭାପତି ଅଶ୍ବିନୀ ଶର୍ମା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏହି ଷଡ଼ଯନ୍ତ୍ରରେ କେବଳ ପଂଜାବ କଂଗ୍ରେସ ମଧ୍ୟ ସଂପୃକ୍ତ ଅଛି।

ସମ୍ବନ୍ଧିତ ଖବର