ନୂଆଦିଲ୍ଲୀ: ନେପାଳରୁ ଭାରତ ମଧ୍ୟରେ ଚାଲିଥିଲା ବେଆଇନ କାର୍ଯ୍ୟକଳାପ | ଆଉ ଏହାରି ପଛରେ ଥିଲେ ଜଣେ ମହିଳା | ମାତୃତ୍ଵକୁ ନେଇ ସଉଦା କରୁଥିଲେ ଆଉ କମାଉଥିଲେ କୋଟି କୋଟି ଟଙ୍କା | ଆଗ୍ରାର ଫତେହାବାଦ ଅଞ୍ଚଳର ଲଖନଉ ଏକ୍ସପ୍ରେସ ୱେରେ ଧରାଯାଇଥିବା ଭଡା ମାତୃତ୍ଵ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଅସ୍ମିତାଙ୍କୁ କିନ୍ତୁ ପାଞ୍ଚ ମାସ ପରେ ବି ଧରିପାରିନାହିଁ ପୁଲିସ | ଜୁନ ୧୯ ତାରିଖରେ ଲଖନଉ ଏକ୍ସପ୍ରେସ ୱେରେ ଦ୍ରୁତ ଗତିରେ ଯାଉଥିବା ଦୁଇଟି ଗାଡିକୁ ଅଟକ ରଖିଥିଲା ପୁଲିସ | ଏହି ଗାଡ଼ିରେ ପାଞ୍ଚ ଜଣ ଯାଉଥିବାବେଳେ ତିନିଟି ନବଜାତ ଶିଶୁ ମଧ୍ୟ ଥିଲେ | ଯାହାକୁ ନେଇ ପୁଲିସର ସନ୍ଦେହ ବଢିଥିଲା, ଆଉ ପଚରାଉଚୁରା କରାଯିବା ପରେ ସାମ୍ନାକୁ ଆସିଥିଲା ସାଙ୍ଘାତିକ କଥା | ଏହି ତିନିଜଣ ନବଜାତଙ୍କୁ ନେପାଳକୁ ଅଣାଯାଉଥିଲା |
ଆଉ ଏହାରି ପଛରେ ନେପାଳର ଅସ୍ମିତା ନାମକ ମହିଳାଙ୍କ ସମ୍ପୃକ୍ତି ଥିବାର ପୁଲିସ ଜାଣିବାକୁ ପାଇଥିଲା | ଅସ୍ମିତା ନେପାଳରେ ରହି ଭାରତରେ ତାଙ୍କର ନେଟୱାର୍କ ଚଳାଇଥିଲେ | ନେପାଳର କିଛି ଦମ୍ପତ୍ତିଙ୍କଠାରୁ ମୋଟା ଅଙ୍କର ଅର୍ଥରାଶି ହାତେଇ ଛୁଆ ଦେବାର ପ୍ରତିଶୃତି ଦେଉଥିଲେ | ଭାରତରେ କିଛି ଗରିବ ମହିଳାଙ୍କୁ ସରୋଗେସି ମାଧ୍ୟମରେ ଛୁଆ ଜନ୍ମ କରିବାକୁ ପ୍ରବର୍ତ୍ତାଉଥିଲେ | ଆଉ ଏହି ସରୋଗେଟ ମାଙ୍କୁ କିଛି ଟଙ୍କା ଦେଇ ଛୁଆ ଜନ୍ମ ହେବା ପରେ ନେପାଳ ନେଇଯାଉଥିଲେ |
ଏହି ଘଟଣାରେ ପୁଲିସ ଏ ପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରିସାରିଲାଣି | ଗିରଫ ହୋଇଥିବା ୭ ଜଣଙ୍କ ମଧ୍ୟରୁ ଜଣେ ଡାକ୍ତର ଥିବାବେଳେ ଅନ୍ୟମାନେ ଗ୍ୟାଙ୍ଗ ପରିଚାଳନା କରୁଥିଲେ | ତେବେ ପୁଲିସର କହିବା କଥା ଯେ ଏ ପର୍ଯ୍ୟନ୍ତ ଅସ୍ମିତା ନେପାଳର କେଉଁଠାରେ ରହୁଛନ୍ତି ସେ ବାବଦରେ ତଥ୍ୟ ନାହିଁ | ଆଉ ବର୍ତ୍ତମାନ ନେପାଳ ପୁଲିସର ସହାୟତା ନିଆଯିବା ସହ ନେପାଳ ଯିବାକୁ ଅନୁମତି ମଗାଯାଇଛି | ଏହା ପରେ ହିଁ ଅସ୍ମିତାଙ୍କ ବାବଦରେ ଅଧିକ ତଥ୍ୟ ମିଳିପାରିବ ବୋଲି ପୁଲିସ କହିଛି |