ଲଖନଉ: ଉତ୍ତରପ୍ରଦେଶର ବଦାଉଁ ଜିଲ୍ଲାର କୋଟୱାଲୀ ଅଞ୍ଚଳରୁ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ଜଣେ ବ୍ୟକ୍ତି ଆଜି ଏକ ମୂଷାର ମୃତ୍ୟୁକୁ ନେଇ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଆଉ ଅଭିଯୋଗ ପାଇ ପୁଲିସ ମଧ୍ୟ ମୂଷାର ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ବାସ୍ତବରେ ପିପୁଲ ଫର ଆନିମଲ ନାମକ ସଂଗଠନର ଜିଲ୍ଲା ସଭାପତି ବିକେନ୍ଦ୍ର ଶର୍ମା କହିଛନ୍ତି ଯେ, ସେ ରାସ୍ତାରେ ଦେଖିଲେ ଯେ ଜଣେ ଯୁବକ ମୂଷା ଧରିବା ପରେ ତାର ଲାଞ୍ଜରେ ଏକ ପଥର ବାନ୍ଧି ଡ୍ରେନରେ ଫିଙ୍ଗି ଦେଇଥିଲା। ଏହା ପରେ ବିକେନ୍ଦ୍ର ଶର୍ମା ଡ୍ରେନ୍ ଭିତରକୁ ଡେଇଁପଡି ମୂଷା ବାହାର କରିଥିଲେ, କିନ୍ତୁ କିଛି ସମୟ ମଧ୍ୟରେ ଏହା ମରିଗଲା। ପୁଲିସ ସୂତ୍ର ଅନୁଯାୟୀ, ବିକେନ୍ଦ୍ର ପଶୁ କ୍ରୁରତା ଅଧିନିୟମ ଅନୁଯାୟୀ ଯୁବକଙ୍କ ନାମରେ ଅଭିଯୋଗ କରିଛନ୍ତି |
ଅଭିଯୋଗରେ ସେ ଲେଖିଛନ୍ତି ଯେ ଶୁକ୍ରବାର ଅପରାହ୍ନରେ ସେ ସହରର ଗାନ୍ଧୀ ଗ୍ରାଉଣ୍ଡ ଛକ ନିକଟରେ ଯାଉଥିବାବେଳେ ମନୋଜ କୁମାର ନାମକ ଜଣେ ଯୁବକ ମୂଷାର ଲାଞ୍ଜରେ ପଥର ବାନ୍ଧି ସେଠାରେ ଥିବା ଡ୍ରେନରେ ଫିଙ୍ଗିଥିବାର ଦେଖିଥିଲେ | ସେ ସଙ୍ଗେ ସଙ୍ଗେ ଡ୍ରେନ୍ ଭିତରକୁ ଡେଇଁ ମୂଷାକୁ ବାହାର କରିଥିଲେ | କିନ୍ତୁ କିଛି ସମୟ ପରେ ମୂଷା ମରିଯାଇଥିଲା | ଏହାପରେ ପୁଲିସ ମୂଷାର ଶବକୁ ପ୍ରାଣୀ ଚିକିତ୍ସାଳୟକୁ ପଠାଇଥିଲା | କିନ୍ତୁ ସେଠାରେ ଥିବା କର୍ମଚାରୀମାନେ ପୋଷ୍ଟମର୍ଟମ କରିବାକୁ ମନା କରିଦେଇଥିଲେ। ଏହାପରେ ବରେଲିରେ ଥିବା ଆଇଭିଆରଆଇକୁ ପୋଷ୍ଟମର୍ଟମ ପାଇଁ ମୂଷାର ଶବକୁ ପୁଲିସ ପଠାଇଛି। ବଦାଉଁର ଡ଼ିଏସପି ଆଲୋକ ମିଶ୍ର କହିଛନ୍ତି ଯେ ଅଭିଯୁକ୍ତ ମନୋଜ କୁମାରଙ୍କୁ ପୁଲିସ ଷ୍ଟେସନକୁ ଡକାଯାଇ ପଚରାଉଚରା କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।