ଚଣ୍ଡୀଗଡ଼: ଆଜି ପଞ୍ଜାବର ଗୁରୁଦାସପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି | ଜଣେ ସହକାରୀ ସବ୍-ଇନ୍ସପେକ୍ଟର ତାଙ୍କ ପତ୍ନୀ ଏବଂ ପୁଅକୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ପୁଲିସ ବାବୁଜଣକ କେବଳ ପତ୍ନୀ ଓ ପୁଅକୁ ହତ୍ୟା କରିନାହାନ୍ତି ବରଂ ତାଙ୍କ ପୋଷା କୁକୁରକୁ ମଧ୍ୟ ମାରିଦେଇଛନ୍ତି | ଏହି ପୁଲିସ ଅଧିକାରୀଙ୍କ ନାମ ଭୂପିନ୍ଦର ସିଂ ହୋଇଥିବାବେଳେ ସେ ଅମୃତସରରେ ଚାକିରି କରୁଥିଲେ | ଏହି ହତ୍ୟାକାଣ୍ଡକୁ ନେଇ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ଆଜି ଭୁପିନ୍ଦର ସିଂ ତାଙ୍କ ପତ୍ନୀ ବଲଜିତ କୌର ଏବଂ ତାଙ୍କ ପୁଅ ଲଭପ୍ରୀତ ସିଂଙ୍କୁ ସକାଳ ପ୍ରାୟ ୧୦ଟା ସମୟରେ ଗୁଳି କରିଥିଲେ |

Advertisment

ଭୂପିନ୍ଦର ନିଜ ଗ୍ରାମ ଭୁମ୍ବଲିକୁ ଆଜି ସକାଳେ ଆସିଥିବାବେଳେ ନିଜ ସହ ସର୍ଭିସ ରାଇଫଲ ଆଣିଥିଲେ | ଏହି ସର୍ଭିସ ରାଇଫଲରେ ସେ ପତ୍ନୀ ଓ ପୁଅଙ୍କୁ ହତ୍ୟା କରିଥିଲେ | କେବଳ ଏତିକି ନୁହେଁ ସେ ନିଜ ପୋଷା କୁକୁରକୁ ମଧ୍ୟ ହତ୍ୟା କରିଥିଲେ | ହତ୍ୟାକାଣ୍ଡ ପରେ ସେ ଘଟଣାସ୍ଥଳରୁ ପଳାଇଯାଇଥିଲେ | ଏହାର କିଛି ସମୟ ପରେ ଗ୍ରାମବାସୀ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ତୁରନ୍ତ ପୁଲିସକୁ ଜଣାଇଥିଲେ | ପୁଲିସ ଏବାବଦରେ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି | ପୁଲିସ କହିଛି ଯେ ଭୂପିନ୍ଦର କାହିଁକି ତାଙ୍କ ପତ୍ନୀ ଏବଂ ପୁଅକୁ ହତ୍ୟା କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପୁଲିସ ଘଟଣାର ତଦନ୍ତ କରୁଥିବାବେଳେ ଫେରାର ହୋଇଯାଇଥିବା ଭୂପିନ୍ଦରଙ୍କୁ ଧରିବା ପାଇଁ ଛାନଭିନ ଚଳାଇଛି |