ପୁଣେ: ମହାରାଷ୍ଟ୍ରର ସତାରା ଜିଲ୍ଲାରେ ଜଣେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଲିସ ସବ୍-ଇନ୍ସପେକ୍ଟର ଗୋପାଳ ବଦାନେ ଫଲଟନରେ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ଗିରଫ ହୋଇଛନ୍ତି। ବଦାନେଙ୍କ ଗିରଫଦାରୀ ପୂର୍ବରୁ ଅନ୍ୟ ଜଣେ ଅଭିଯୁକ୍ତ, ସଫ୍ଟୱେର ଇଞ୍ଜିନିୟର ପ୍ରଶାନ୍ତ ବାଙ୍କରଙ୍କୁ ପୁଣେରୁ ଗତକାଲି ଗିରଫ କରାଯାଇଥିଲା। ବଦାନେଙ୍କ ଦ୍ବାରା ବାରମ୍ବାର ଦୁଷ୍କର୍ମର ଶିକାର ହୋଇଥିବା ବିଡ୍ ଜିଲ୍ଲାର ବାସିନ୍ଦା ୨୮ ବର୍ଷୀୟା ଡାକ୍ତରଙ୍କ ମୃତଦେହ ଫଲଟନ ସହରର ଏକ ହୋଟେଲ ରୁମ୍ରୁ ମିଳିଥିଲା।
ପୀଡ଼ିତା ଡାକ୍ତର ତାଙ୍କ ହାତ ପାପୁଲିରେ ଲେଖିଥିବା ଏକ ସୁଇସାଇଡ୍ ନୋଟ୍ରେ ସବ୍ ଇନିସ୍ପେକ୍ଟର ବଦାନେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଏବଂ ଅନେକ ମାସ ଧରି ଯୌନ ଉତ୍ପୀଡ଼ନ ଦେଇଥିବା ଅଭିଯୋଗ କରିଥିଲେ। ସେ ମଧ୍ୟ ତାଙ୍କ ଘର ମାଲିକଙ୍କ ପୁଅ ବାଙ୍କରଙ୍କ ନାମ ଉଲ୍ଲେଖ କରି ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ। ଉଭୟଙ୍କ ବିରୋଧରେ ଦୁଷ୍କର୍ମ ଏବଂ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ମାମଲା ରୁଜୁ ହୋଇଛି।
ଏହି ମାମଲାରେ ଅନୁଷ୍ଠାନିକ ଚାପ ସଂକ୍ରାନ୍ତ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ମୃତ ଡାକ୍ତରଙ୍କ ସମ୍ପର୍କୀୟମାନେ ଦାବି କରିଛନ୍ତି ଯେ ପୀଡ଼ିତାଙ୍କ ଉପରେ ଜଣେ ସ୍ଥାନୀୟ ସାଂସଦ ଏବଂ ତାଙ୍କ ସହଯୋଗୀମାନେ ଅନୁଚିତ ଚାପ ପକାଉଥିଲେ। ଗିରଫ ହୋଇଥିବା ବ୍ୟକ୍ତିଙ୍କ ପାଇଁ ମିଥ୍ୟା ଡାକ୍ତରୀ ପ୍ରମାଣପତ୍ର ଜାରି କରିବା ପାଇଁ ସେମାନେ ବାଧ୍ୟ କରୁଥିଲେ। ଏ ବାବଦରେ ପୀଡ଼ିତା ପୂର୍ବରୁ ବରିଷ୍ଠ ପୁଲିସ ଅଧିକାରୀଙ୍କ ନିକଟରେ ଅସାଧୁ ପୁଲିସ ଅଧିକାରୀଙ୍କ ଦ୍ବାରା ଉତ୍ପୀଡ଼ନ ସମ୍ପର୍କରେ ଅଭିଯୋଗ କରିଥିଲେ।
ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମହାରାଷ୍ଟ୍ରରେ ଡାକ୍ତର ସଂଗଠନଗୁଡ଼ିକ ମଧ୍ୟରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି ଏବଂ ଡାକ୍ତରମାନଙ୍କ ପାଇଁ ଏକ ନିରାପଦ କାର୍ଯ୍ୟ ପରିବେଶ ଦାବି କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହି ମାମଲାରେ କଠୋର ଏବଂ ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/27/untitled-4-2025-10-27-06-02-52.jpg)